ଭୁବନେଶ୍ୱର,୩୦।୫(ବ୍ୟୁରୋ): ରାଜ୍ୟରେ ବ୍ୟାଚେଲର ଅଫ୍ ଏଜୁକେଶନ(ବିଏଡ୍) ପାଠ୍ୟକ୍ରମ ପ୍ରଦାନ କରୁଥିବା ସମସ୍ତ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଜୁନ୍ ୧ରୁ ଉଚ୍ଚଶିକ୍ଷା ବିଭାଗ ଅଧୀନକୁ ଆସିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ କେତେକ ବିଏଡ୍ କଲେଜ ରହିଛି। ଉନ୍ନତ ପରିଚାଳନା ପାଇଁ ଏହି ସମସ୍ତ କଲେଜକୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆଣିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହି କଲେଜଗୁଡ଼ିକର କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ଲୋକ ସେବା ଭବନରେ ଉଚ୍ଚଶିକ୍ଷା ବିଭାଗର କ୍ୟାମ୍ପସ-୧ରେ ଏକ ନୂତନ ବିଭାଗ ‘ଶିକ୍ଷକ ଶିକ୍ଷା ବିଭାଗ’ ଗଠନ କରାଯାଇଛି। ବିଏଡ୍ କଲେଜଗୁଡ଼ିକର ସୁପରିଚାଳନା ପାଇଁ ଶିକ୍ଷକ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଭାବେ ଡ. ସ୍ନିଗ୍ଧା ମିଶ୍ର ଏବଂ ସହକାରୀ ନିର୍ଦ୍ଦେଶକ ଭାବେ ଡ. ସାରଦା ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।