‘ଡିସେମ୍ବରରେ ଦାବି ପୂରଣ ନ ହେଲେ ସବୁ କଲେଜ ବନ୍ଦ’

ଭଦ୍ରକ,୨୦।୧୧(ସନାତନ ରାଉତ): ଭଦ୍ରକ ଟାଉନ ହଲ୍‌ରେ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ୫ ଜିଲାର ସମସ୍ତ କଲେଜ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଯୋଗଦେଇ ସଂଘର ଯଥୋଚିତ ଦାବିଗୁଡ଼ିକୁ ନେଇ ସରକାରଙ୍କ ସହ ଆଲୋଚନା କରି ସମାଧାନର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ସଂଘ ପକ୍ଷରୁ ସମାନ ଗ୍ରେଡ୍‌ ପେ ଆଧାରରେ ସମସ୍ତ ବର୍ଗଙ୍କୁ ସମାନ ଦରମା ପ୍ରଦାନ, କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନ୍‌ସନ ପରିସରଭୁକ୍ତ କରିବା, ବାଦ୍‌ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ ଆଦି ପ୍ରମୁଖ ଦାବିରେ ଦୀର୍ଘ ୨୮୦ ଦିନ ହେଲା ଲୋୟର ପିଏମ୍‌ଜିରେ ସଂଘ ପକ୍ଷରୁ ଅହୋରାତ୍ର ଧାରଣା ଜାରି ରହିଛି।

ଡିସେମ୍ବର ଶେଷ ସୁଦ୍ଧା ସରକାର ଦାବି ପୂରଣ ନ କଲେ ସମଗ୍ର ରାଜ୍ୟରେ କଲେଜଗୁଡ଼ିକୁ ବନ୍ଦ କରି ଉପଜିଲାପାଳଙ୍କୁ ଚାବି ହସ୍ତାନ୍ତର କରାଯିବ ବୋଲି ରାଜ୍ୟ ସଭାପତି ଗୋଲକ ନାୟକ, ସାଧାରଣ ସମ୍ପାଦକ ସାଉଦ୍ଦିନ ଅହମଦ, ଡ. ଗଗନ ବେଉରା, ଡ. ତପନ ଜେନା, ଗଜେନ୍ଦ୍ର ନାୟକ, ଜୟନ୍ତ ସେଠୀ, ସଂଗ୍ରାମ ମଲ୍ଲିକ, ଅସୀମା ସାହୁ, ଗୁନାକର ଦାସ ପ୍ରମୁଖ ସମ୍ମିଳନୀରେ ଚେତବନୀ ଦେଇଛନ୍ତି। ଜିଲା ସଭାପତି ଆଦିତ୍ୟ କୁମାର ଜେନା ଅଧ୍ୟକ୍ଷତା କରିଥିବା ବେଳେ ଆବାହକ ସୁଶାନ୍ତ କୁମାର ବାରିକ ମଞ୍ଚ ପରିଚାଳନା ଓ ଜିଲା ସମ୍ପାଦକ ଲକ୍ଷ୍ମୀଧର ନାୟକ ସ୍ବାଗତ ଭାଷଣ ଦେଇଥିଲେ।

Share