Categories: ଖେଳ

ଆଜି ଭାରତ-ଆୟାରଲାଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଡବଲିନ୍‌,୨୬।୬: ଦୁଇ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟି -୨୦ ମ୍ୟାଚରେ ରବିବାର ଦିନ ଭାରତ ଏବଂ ଆୟାରଲାଣ୍ଡର କ୍ରିକେଟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ଡବଲିନ୍‌ରେ ଖେଳାଯିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍‌ରାଙ୍କ ଭଳି ଷ୍ଟାର ଖେଳାଳି ଉପସ୍ଥିତ ନାହାଁନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର ନେତୃତ୍ୱ ନେବେ। ଆଇପିଏଲର ୧୫ତମ ସିଜନରେ ତାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସର ଟାଇଟଲ ଜିତିବା ପରେ ବିସିସିଆଇ ତାଙ୍କୁ ଆୟାରଲାଣ୍ଡ ଗସ୍ତ ପାଇଁ ଟିମ ଇଣ୍ଡିଆର ଅଧିନାୟକ ଭାବରେ ନିଯୁକ୍ତ କରିଛି।
ଭେଟେରାନ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଦଳର ଉପ-ଅଧିନାୟକ ହେବେ। ଏହି ସିରିଜରେ ରାହୁଲ ତ୍ରିପାଠୀ, ଅର୍ଶଦୀପ ସିଂ ଏବଂ ଉମରାନ ମଲିକଙ୍କ ଉପରେ ସମସ୍ତ ନଜର ରହିବ। ଏହି ୩ ଖେଳାଳି ଡେବ୍ୟୁ କରିବାର ସମ୍ଭାବନା ରହିଛି।
ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ସିରିଜର ପ୍ରଥମ ଟି -୨୦ ମ୍ୟାଚ ଭାରତୀୟ ସମୟ ରାତି ୯ରୁ ଆରମ୍ଭ ହେବ। ସୋନି ସିକ୍ସ ଏବଂ ସୋନି ଏଚ୍‌ଡିରେ ଏହି ମ୍ୟାଚ୍‌ର ଲାଇଭ ଟେଲିକାଷ୍ଟ ଦେଖିହେବ। ସୋନି ଲାଇଭରେ ମ୍ୟାଚର ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।

Share