Categories: ଜାତୀୟ

ଏବେ ଖୋଲିବ ନାହିଁ ସ୍କୁଲ

ନୂଆଦିଲ୍ଲୀ,୨୮ ।୧୦: ଦୀର୍ଘ ପ୍ରାୟ ୬ ମାସ ହେବ ରାଜଧାନୀ ଦିଲ୍ଲୀରେ ସ୍କୁଲ ବନ୍ଦ ରହିଛି । ଆଶା କରାଯାଉଥିଲା କି ଦୂର୍ଗାପୂଜା ପରେ ହୁଏତ ସ୍କୁଲ ଖୋଲିପାରେ । ହେଲେ ବୁଧବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି ପରବର୍ତ୍ତି ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ ଖୋଲିବ ନାହିଁ । ସୂଚନାଯୋଗ୍ୟ, କରୋନା ମହାମାରୀ ସଂକ୍ରମଣକୁ ଦେଖି ଦୀର୍ଘ ୬ ମାସ ହେବ ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ଏବେ ପିଲାମାନଙ୍କୁ ଅନ୍‌ଲାଇନରେ ପାଠ ପଢାଯାଉଥିବା ବେଳେ ସମସ୍ତଙ୍କ ନଜର କେବେ ଖୋଲିବ ସ୍କୁଲ । ହେଲେ ଗତ କିଛିଦିନ ହେବ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଥିବା ବେଳେ ଏବେ ଏଥିରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି । ଆଗକୁ ଏହି ସଂଖ୍ୟା ବଢିବା ଅନୁମାନ କରାଯାଉଥିବାରୁ ଏବେ ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ଛୁଇଁବାକୁ ଯାଉଥିବା ବେଳେ ଆଗକୁ ଶୀତଋତୁ ଆସୁଥିବାରୁ ଏହି ସଂଖ୍ୟାରେ ଦ୍ରୁତ ବୃଦ୍ଧି ଆଶଙ୍କା କରାଯାଇଛି । ତେଣୁ ଜନସାଧାରଣ ଯେତେ ସମ୍ଭବ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବାକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।

Share