ସମସ୍ତ ସରକାରୀ ହସ୍ପିଟାଲରେ ରହିବ ଆଣ୍ଟିଭେନମ୍‌

ଭୁବନେଶ୍ୱର,୨୬।୭(ଅଭିଜିତ ଦାସ): ରାଜ୍ୟରେ ଦିନକୁ ଦିନ ସାପ କାମୁଡା ମୃତ୍ୟୁସଂଖ୍ୟା ବଢୁଛି। ଚଳିତ ଜୁଲାଇ ମାସର ଏବେ ପର୍ଯ୍ୟନ୍ତ ୧୫ଜଣ ସାପ କାମୁଡ଼ା ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଚିନ୍ତା ବଢ଼ିଛି। ସାପ କାମୁଡାଜନିତ ମୃତ୍ୟୁ ରୋକିବା ଲାଗି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାର ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କୁ ଚିଠି ଲେଖାଯାଇଛି। ଏଥିସହ ସ୍ବତନ୍ତ୍ର ନିର୍ଦ୍ଦେଶନାମା ମଧ୍ୟ ଜାରି କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ସାପ କାମୁଡା ରୋଗୀଙ୍କୁ ଔଷଧ ଓ ଟେଷ୍ଟିଂ ମାଗଣାରେ ଯୋଗାଇ ଦିଆଯିବ। ଏଥିସହ ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ସମେତ ଜରୁରୀକାଳୀନ ଔଷଧ ମହଜୁଦ ରହିବ। ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତ ସମସ୍ତ ତଥ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ପଠାଇବେ। ସମସ୍ତ ଫିଲ୍ଡ କର୍ମଚାରୀ ସାପକାମୁଡା ରୋଗୀଙ୍କୁ ଡାକ୍ତରଖାନା ଆଣିବା ଓ ଚିକିତ୍ସା କରିବାରେ ସାହାଯ୍ୟ କରିବେ। ବିନା ତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଯେପରି କୌଣସିଠାରେ ସାପକାମୁଡ଼ା ରୋଗୀଙ୍କ ଚିକିତ୍ସା ନ ହୁଏ, ସେଥିପାଇଁ ଧ୍ୟାନ ରଖିବେ। ଅନ୍ୟପକ୍ଷରେ ସଚେତନତାକୁ ବିଭାଗ ଅଧିକ ଗୁରୁତ୍ୱ ଦେଇଛି। କେଉଁ ସାପ ବିଷଧର, ସାପ କାମୁଡା ଚିକିତ୍ସାକୁ ନେଇ ଲୋକଙ୍କୁ ସାଧାରଣ ସଭା ଓ ବୈଠକ ମାଧ୍ୟମରେ ସଚେତନ କରାଯିବ। ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସକୁ ଲୋକେ ଯେପରି ବିଶ୍ୱାସ ନ କରନ୍ତି, ସେଥିଲାଗି ପଦକ୍ଷେପ ନେବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ ଟିମ୍‌ ବିଭିନ୍ନ ସ୍ଥାନକୁ ଯାଇ ଲୋକ ଓ ଛାତ୍ରୀଛାତ୍ରଙ୍କୁ ସଚେତନ କରାଇବେ। ସାପ ଦେଖିଲେ ଲୋକମାନେ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିବାବେଳେ ବିଷାକ୍ତ ସାପକୁ ଚିହ୍ନଟ କରିବା ସହ ଆବଶ୍ୟକ ସଚେତନତା ସୃଷ୍ଟି କରାଯିବ।

Share