ଶନିବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ୱର,୩୦ା୯(ବ୍ୟୁରୋ)-ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ । ତେବେ ଅକ୍ଟୋବର ମାସରେ କଟକ ଓ ଭୁବନେଶ୍ୱର ଥିବା ସମସ୍ତ ସରକାରୀ ବିଭାଗ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ସରକାରୀ କାର୍ଯ୍ୟ ଯେପରି ପ୍ରଭାବିତ ନ ହେବ ସେ ନେଇ ବିଭାଗଗୁଡିକ ନିଶ୍ଚିତ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କେଉଁ କର୍ମଚାରୀ କେଉଁ ଦିନ କାର୍ଯ୍ୟାଳୟରେ ଯୋଗ ଦେବେ ସେ ନେଇ ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟଗୁଡିକର ମୁଖ୍ୟମାନେ ନିଷ୍ପତ୍ତି ନେବେ। ତେବେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ(ଏସଆରସି) ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓଏସଡି,ମଏ) କାର୍ଯ୍ୟାଳୟ, ପୋଲିସ, ଅଗ୍ନିଶମ, ସ୍ବାସ୍ଥ୍ୟ ବିଭାଗ, ମହାନଗର ନିଗମ ଇତ୍ୟାଦି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଖୋଲା ରହିବ। ଏଥିରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସବୁ ଦିନ କାର୍ଯ୍ୟରେ ଯୋଗ ଦେବେ। ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୋଣସି କର୍ମଚାରୀ କୋଭିଡ-୧୯ ସଂକ୍ରମିତ ହେବେ ତେବେ ସମ୍ପୃକ୍ତ କାର୍ଯ୍ୟାଳୟ ୨୦୨୦ ଜୁଲାଇ ୨୩ ତାରିଖରେ ରାଜ୍ୟ ସରକାର ଜାରି କରଥିବା ଗାଇଡଲାଇନକୁ ଅନୁସରଣ କରିବାକୁ କୁହାଯାଇଛି।

Share