ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ  ଅଫିସିଆଲ ‘ଏକ୍ସ’ ଆକାଉଣ୍ଟ ଖୋଲିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮।୬ (ଅସମାପିକା ସାହୁ): ସୋସିଆଲ ମିଡିଆ ‘ଏକ୍ସ’ରେ ଆକାଉଣ୍ଟ ଖୋଲିବେ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶକ୍ରମେ କର୍ମଚାରୀଙ୍କୁ  ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ‘ଏକ୍ସ’ ଆକାଉଣ୍ଟ କାର୍ଯ୍ୟକ୍ଷମ କରି ‘ଏକ୍ସ’ରେ ଆସୁଥିବା ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ମନ୍ତ୍ରୀ ମଧ୍ୟ ନିଜ ‘ଏକ୍ସ’ ଅକାଉଣ୍ଟରେ ପୋଷ୍ଟ କରି ଜଣାଇଛନ୍ତି।
ପ୍ରକାଶ ଯେ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ମଙ୍ଗଳବାର ବିଭାଗ ପକ୍ଷରୁ ସଚିବ ଶାଳିନୀ ପଣ୍ଡିତଙ୍କ ସମେତ ବିଭାଗୀୟ ଅଧିକାରୀମାନେ ସ୍ବାଗତ କରିଛନ୍ତି। ଏହି ଅବସରରେ ସଚିବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଡକାଇ ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରୋଗୀମାନଙ୍କୁ ଉତ୍ତମ ବ୍ୟବହାର ଓ ସେବା ଯୋଗାଇଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେପଟେ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ବିଭାଗ ପକ୍ଷରୁ ମଙ୍ଗଳବାର ସଚିବ ଶାଳିନୀ ପଣ୍ଡିତ ସମସ୍ତ ଜିଲା ଚିକତ୍ସାଧିକାରୀ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ରାଉରକେଲା ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅଫିସିଆଲ ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଡିଏଚ୍‌ଏଚ୍‌, ଏସ୍‌ଡିଏଚ୍‌, ସିଏଚ୍‌ସି ଏବଂ ପିଏଚ୍‌ସିଗୁଡ଼ିକରେ ଏହି ଆକାଉଣ୍ଟ ଖୋଲିବା ପାଇଁ କୁହାଯାଇଛି।

Share