Categories: ଖେଳ

ଅଲ୍‌ ଇଣ୍ଡିଆ ସୁପର ସିରିଜ ର଼୍ୟାଙ୍କିଙ୍ଗ ଟେନିସ

ଭୁବନେଶ୍ୱର, ୧୩ା୯ (ବିଜୟ ରଣା): ତୃତୀୟ ଗଣେଶ୍ୱର ମେମୋରିଆଲ ଆଇଟା ଓଟା ଅଲ୍‌ ଇଣ୍ଡିଆ ସୁପର ସିରିଜ ୧୨ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ୍‌ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ୨୦୨୩ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ଟେନିସ ଆସୋସିଏଶନ(ଓଟା) ଓ ଅଲ୍‌ ଇଣ୍ଡିଆ ଟେନିସ ଆସୋସିଏଶନ(ଆଇଟା) ଅଧୀନରେ ଭୁବନେଶ୍ୱର ଟେନିସ ଆସୋସିଏଶନ (ଟାବ୍‌) ପକ୍ଷରୁ କଳିଙ୍ଗ ଷ୍ଟାଡିୟମ ଟେନିସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ୧୪ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ବିଭାଗରେ ମହାରାଷ୍ଟ୍ରର ଆୟୁଷ ଯଜ୍ଞେଶ ପୂଜାରୀ ଫାଇନାଲରେ ନିଜ ରାଜ୍ୟର ରାଘବ ସାରୋଡ୍‌ଙ୍କୁ ୬-୧, ୨-୬, ୬-୦ରେ ହରାଇ ଦେଇଛନ୍ତି। ଏହି ଉଚ୍ଚକୋଟୀର ମ୍ୟାଚ ଅଢେଇ ଘଣ୍ଟା ଧରି ଚାଲିଥିଲା। ୧୪ ବର୍ଷରୁ କମ୍‌ ବାଳକ ଡବଲ୍ସ ଫାଇନାଲରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ (ଓଡ଼ିଶା) ଓ ଆୟୁଷ ଯଜ୍ଞେସ ପୂଜାରୀ (ମହାରାଷ୍ଟ୍ର) ୬-୪, ୬-୪ ସେଟ୍‌ରେ ଆହାନ ମିଶ୍ର (ଓଡ଼ିଶା) ଓ ସଂକଳ୍ପ କୁମାର ସାହାଣୀ (ପଶ୍ଚିମବଙ୍ଗ)ଙ୍କୁ ହରାଇ ଦେଇଛନ୍ତି।
ସେହିପରି ୧୪ ବର୍ଷରୁ କମ୍‌ ବାଳିକା ବିଭାଗରେ ଓଡ଼ିଶାର ଆହାନ ୩ ଘଣ୍ଟା ଧରି ଅନୁଷ୍ଠିତ ଏକ ମାରାଥନ ମ୍ୟାଚରେ ନିଜ ରାଜ୍ୟର ଅଭିପ୍ସା ଦେହୁରୀଙ୍କୁ ୪-୬, ୬-୨, ୬-୩ ସେଟ୍‌ରେ ହରାଇ ଦେଇଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ଡବଲ୍ସରେ ଆହାନ ଓ ଅଭିପ୍ସା ଦେହୁରି (ଉଭୟେ ଓଡ଼ିଶା) ୬-୧, ୬-୧ରେ ଇନ୍ଦ୍ରାକ୍ଷୀ ଭଟ୍ଟାଚାର୍ଯ୍ୟ ଓ ରିୟା ରୟ(ଉଭୟେ ପଶ୍ଚିମବଙ୍ଗ)ଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ୧୨ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଫାଇନାଲରେ ରୋନି ବିଜୟ କୁମାର (ତାମିଲନାଡୁ) ୪-୨, ୪-୨ରେ ନିବାସ ହୁସେନ (ଆସାମ)ଙ୍କୁ ହରାଇ ଦେଇଛନ୍ତି। ୧୨ ବର୍ଷରୁ କମ୍‌ ବାଳକ ଡବଲ୍ସରେ ମୋନୋଦୀପ୍‌ ଦେ (ପଶ୍ଚିମବଙ୍ଗ) ଓ ନର୍ବାଣ ମର୍ଗଣା (ତେଲଙ୍ଗାନା) ୬-୧, ୬-୧ରେ ବୀର ଚତୁର (ମହାରାଷ୍ଟ୍ର) ଓ ରୋନି ବିଜୟ କୁମାର(ତାମିଲନାଡୁ)ଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ସେହିପରି ୧୨ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ ଫାଇନାଲରେ ତମନ୍ନା ନାୟାର (ମହାରାଷ୍ଟ୍ର) ୬-୩, ୧-୬ (୧୦-୫)ରେ ପ୍ରଦତ୍ତ ଦାସ (ପଶ୍ଚିମବଙ୍ଗ)ଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। ବାଳିକା ଡବଲ୍ସ ଫାଇନାଲରେ ତମନ୍ନା ନାୟାର (ମହାରାଷ୍ଟ୍ର) ଓ ପରିଣିତା ଭାଟାପ୍ରାମ୍ବିଲ (ଆନ୍ଧ୍ର ପ୍ରଦେଶ) ୬-୦, ୬-୦ରେ ସାନରଚନା ଦାସ ଓ ରିଦ୍ଧିମା ମଲିକ (ଉଭୟେ ପଶ୍ଚିମବଙ୍ଗ)ଙ୍କୁ ହରାଇ ଦେଇଛନ୍ତି। ଏହି ଉପଲକ୍ଷେ ଉଦ୍‌ଯାପନୀ ଉତ୍ସବରେ ଶିବ ଶଙ୍କର ପରିଡ଼ା ଓ ଆଇଟା ସୁପରଭାଇଜର ପ୍ରବୀଣ ନାୟକଙ୍କ ଉପସ୍ଥିତିରେ ଭୁବନେଶ୍ୱର ଟେବୁଲ ଟେନିସ ଆସୋସିଏଶନ ଚେୟାରମ୍ୟାନ ଚିତ୍ତରଞ୍ଜନ ମହାନ୍ତି ପୁରସ୍କାର ବିତରଣ କରିଥିଲେ। ଟୁର୍ନାମେଣ୍ଟର ବିଜେତା ଓ ରନରଅପ୍‌ ଯଥାକ୍ରମେ ୫୦ ଓ ୪୦ ର଼୍ୟାଙ୍କିଙ୍ଗ ପଏଣ୍ଟ ହାସଲ କରିଛନ୍ତି।

Share