Categories: ଜାତୀୟ

ବିଧାୟିକାଙ୍କ ଦବଙ୍ଗଗିରି: ସମସ୍ତଙ୍କ ପିଲା ପିଉଛନ୍ତି,ସେ ଟିକେ ପିଇଦେଇଛି; କ’ଣ ହେଲା

ଯୋଧପୁର,୧୯।୧୦: ରାଜସ୍ଥାନର ଯୋଧପୁରରେ ଜଣେ ମହିଳା ବିଧାୟିକାଙ୍କ ସମ୍ପର୍କୀୟଙ୍କୁ ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଛି। ଫଳରେ ତାଙ୍କର ଚାଲାଣ କାଟିବା ସହ ଥାନାରେ ଅଟକ ରଖିଥିଲା ପୋଲିସ। ଏହି ମାମଲା ବିଧାୟିକାଙ୍କ ନିକଟରେ ପହଞ୍ଚିବା ପରେ ସେ ସମ୍ପର୍କୀୟଙ୍କୁ ଛାଡିଦେବାକୁ ପୋଲିସକୁ କହିଥିଲେ। କିନ୍ତୁ ପୋଲିସ ରାଜି ହୋଇ ନ ଥିଲା, ସେ ତାଙ୍କ ସ୍ବାମୀଙ୍କ ସହ ପୋଲିସ ଷ୍ଟେଶନରେ ପହଞ୍ଚତ୍ଥିଲେ। ସେଠାରେ ବିଧାୟିକା ପୋଲିସଙ୍କ ସହ ଅଜବ ଯୁକ୍ତି ବାଢି କହିଥିଲେ, ସମସ୍ତଙ୍କର ପିଲା ପିଅନ୍ତି, ଯଦି ସେ ଟିକିଏ ପିଇଥିଲେ କଣ ହେଲା? ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ପରେ ବିଧାୟିକାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି।
ଏହି ମାମଲା ଯୋଧପୁରର ରତନଡା ପୋଲିସ ଷ୍ଟେଶନର ଅଟେ। ବିଳମ୍ବିତ ରାତିରେ ମଦ୍ୟପାନ କରି ଗାଡି ଚଳାଇବାରୁ ଶେରଗଡରୁ କଂଗ୍ରେସ ବିଧାୟିକା ମୀନା କନଓ୍ବରଙ୍କ ସମ୍ପର୍କୀୟଙ୍କୁ ପୋଲିସ ଧରିଥିଲା। ବିଧାୟିକା ଏ ବିଷୟରେ ଜାଣିବାକୁ ପାଇବା ପରେ, ପ୍ରଥମେ ତାଙ୍କ ସ୍ବାମୀ ପୋଲିସକୁ ଡାକି ସମ୍ପର୍କୀୟଙ୍କୁ ଛାଡିବାକୁ କହିଥିଲେ, କିନ୍ତୁ ପୋଲିସ ମନା କରିଦେଇଥିଲା। ପୋଲିସ ମନା କରିବା ପରେ ବିଧାୟିକା ତାଙ୍କ ସ୍ବାମୀଙ୍କ ସହ ସିଧା ପୋଲିସ ଷ୍ଟେଶନକୁ ଯାଇ ନିଜକୁ ପରିଚିତ କରାଇଥିଲେ। ଏହା ପରେ ମଧ୍ୟ ପୋଲିସ ସମ୍ପର୍କୀୟଙ୍କୁ ଛାଡି ନ ଥିଲା ତେଣୁ ସେ ତଳେ ବସିଥିଲେ। ପୋଲିସ ଏହାର ସମ୍ପୂର୍ଣ୍ଣ ଭିଡିଓ କରିଥିଲା। କୁହାଯାଉଛି ଯେ ସେ ଭିଡିଓ ସମ୍ପର୍କରେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଧମକ ଦେଇଛନ୍ତି।

Share