ସବୁ ଜୀବନର ମୂଲ୍ୟ ସମାନ

ପ୍ୟାରିସ୍‌,୧୦ା୧୧:ଗାଜାରେ ଇସ୍ରାଏଲ ଏବଂ ପାଲେଷ୍ଟିନୀୟ ସଶସ୍ତ୍ର ଗୋଷ୍ଠୀ ହମାସ୍‌ ମଧ୍ୟରେ ମାସାଧିକ କାଳ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଆହ୍ବାନ ଦେଇଛନ୍ତି। ସମସ୍ତଙ୍କ ଜୀବନର ମୂଲ୍ୟ ସମାନ କହି ଗାଜାବାସୀଙ୍କୁ ତୁରନ୍ତ ମାନବୀୟ ସହାୟତା ଯୋଗାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଯୁଦ୍ଧ ପ୍ରଭାବିତ ଗାଜାକୁ ସହାୟତା ଏବଂ ସେଠାକାର ନିରସ୍ତ୍ର ଜନତାଙ୍କୁ ସୁରକ୍ଷା ଦେବା ପାଇଁ ଇସ୍ରାଏଲକୁ ବୁଝାଇବା ସକାଶେ ଗୁରୁବାର ପ୍ୟାରିସ୍‌ରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜାତିସଂଘ, ଆମେରିକା, ୟୁରୋପୀୟ ସଂଘ (ଇୟୁ) ସମେତ ଜୋର୍ଡାନ, ଇଜିପ୍ଟ ଓ ଉପସାଗରୀୟ ଦେଶଗୁଡ଼ିକର ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି। ଇସ୍ରାଏଲକୁ ନିମନ୍ତ୍ରଣ କରାଯାଇ ନାହିଁ। ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ମାକ୍‌ରଁ କହିଛନ୍ତି, ଇସ୍ରାଏଲୀ ସୈନ୍ୟ ହମାସ୍‌ ବିରୋଧୀ ଅଭିଯାନରେ ଗାଜା ଷ୍ଟ୍ରିପ୍‌ ଉପରେ ରକେଟ୍‌ ମାଡ଼ ଜାରି ରଖିଥିବାବେଳେ ସେଠାକାର ନାଗରିକଙ୍କୁ ଜରୁରୀ ମାନବୀୟ ସହାୟତା ଦିଆଯିବା ଆବଶ୍ୟକ। ସବୁ ଜୀବନର ସମାନ ମୂଲ୍ୟ ରହିଛି। ସାର୍ବଜନୀନ ଓ ମାନବୀୟ ମୂଲ୍ୟବାଧକୁ ନେଇ ଯେଉଁମାନେ ଆମ ସହ ଅଛନ୍ତି, ସେମାନଙ୍କ ପାଇଁ କୌଣସି ପ୍ରକାର ଦୋମୁହାଁ ନୀତି ରହିବ ନାହିଁ। ବିନା ନିୟମରେ ଆତଙ୍କବାଦ ବିରୋଧରେ ଲଢ଼େଇକୁ ଆଗକୁ ନିଆଯାଇପାରିବ ନାହିଁ। ଏକଥା ଇସ୍ରାଏଲକୁ ଜଣାଅଛି। ଆମ ସମସ୍ତଙ୍କ ପାଇଁ ଆତଙ୍କବାଦର ଜାଲ ସମାନ ବୋଲି ମାକ୍‌ରଁ ପ୍ରକାଶ କରିଥିବା ତାଙ୍କ ଅଫିସ୍‌ ସୂତ୍ରରୁ ପ୍ରକାଶ।
ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ୧.୫ ନିୟୁତ ଲୋକ ବା ଗାଜା ଜନସଂଖ୍ୟାର ପ୍ରାୟ ୭୦% ଗଣପଳାୟନ କଲେଣି। ପାଲେଷ୍ଟିନୀୟ ଅଞ୍ଚଳରେ ଏହି ସଙ୍କଟର ସମାଧାନ ନିମନ୍ତେ ୧.୨ ବିଲିୟନ୍‌ ଆମେରିକୀୟ ଡଲାର ସହାୟତା ଆବଶ୍ୟକ। ଦୁଇ-ରାଷ୍ଟ୍ର ସମାଧାନ ସୂତ୍ର ଆପଣାଇ ମଧ୍ୟପ୍ରାଚ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ କୂଟନୈତିକ ଉଦ୍ୟମ ଲୋଡ଼ା। ପାଲେଷ୍ଟାଇନ୍‌ ପ୍ରଧାନମନ୍ତ୍ରୀ ମୋହାମଦ ଶତାୟେହ ଏଥିରେ ଯୋଗଦେଇ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛନ୍ତି। ଆଉ କେତେ ପାଲେଷ୍ଟିନୀୟ ନିହତ ହେଲେ ଯୁଦ୍ଧ ଶେଷ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।

Share