Categories: ଖେଳ

ଇନ୍‌ଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌

କଟକ ଅଫିସ,୨୦ା୨: ଦ୍ୱିତୀୟ ଖେଲୋ ଇଣ୍ଡିଆ ମହିଳା ଲିଗ୍‌ର ଫେନ୍ସିଂ ର଼୍ୟାଙ୍କିଙ୍ଗ୍‌ ପ୍ରତିଯୋଗିତା କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଫେବୃୟାରୀ ୨୩ରୁ ୨୬ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ରାଜ୍ୟ ଫେନ୍ସିଂ ସଂଘ, ଖେଲୋ ଇଣ୍ଡିଆ, ଏସ୍‌ଏଆଇ ଓ ଭାରତୀୟ ଫେନ୍ସିଂ ସଂଘର ମିଳିତ ଉଦ୍ୟମରେ ଏହି ମେଗା କ୍ରୀଡ଼ା ପ୍ରତିଯୋଗିତା କଟକରେ ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରର ପ୍ରାୟ ୩୦୦ରୁ ଅଧିକ ଖେଳାଳି ଏହି ମେଗା ପ୍ରତିଯୋଗିତାରେ ଭାଗନେବେ। କ୍ୟାଡେଟ୍‌, ଜୁନିୟର ଓ ସିନିୟର ଭଳି ୩ଟି ବର୍ଗରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ସେମାନଙ୍କ ରହିବା ଓ ଖାଇବା ଦାୟିତ୍ୱ ସ୍ବୟଂ ବହନ କରିବେ। ଅଫିସିଆଲ ଓ ଟେକ୍ନିକାଲ ଟିମ୍‌ର ସମସ୍ତ ବ୍ୟବସ୍ଥା ରାଜ୍ୟ ଫେନ୍ସିଂ ସଙ୍ଘ ବହନ କରିବ। ଗତଥର ଜାତୀୟ ପୁରୁଷ ଟିମ୍‌ରେ ଶ୍ରେଷ୍ଠ ଦଳ ଗୁଡ଼ିକ ମଧ୍ୟରେ ୮ ନମ୍ବରରେ ଥିଲା ଓଡ଼ିଶା।

ମହିଳା ବର୍ଗରେ ବର୍ତ୍ତମାନ ୧୬ ନମ୍ବର ସ୍ଥାନରେ ରହିଛି ଓଡ଼ିଶା ଟିମ୍‌। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୨ ଖେଳାଳି ଭାଗ ନେଉଛନ୍ତି। ଜିଜ୍ଞାସା ମହାନ୍ତି, ଅନ୍ବେଷା ହୋତା, ସଂସ୍କୃତି ମହାନ୍ତିଙ୍କ ଭଳି ଉଦୀୟମାନ ଖେଳାଳି ଏଥିରେ ଭାଗ ନେଉଛନ୍ତି। ଏନେଇ ରବିବାର ଓସିଏ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରାଜ୍ୟ କ୍ରୀଡ଼ା ବିଭାଗର ସାହାଯ୍ୟ ସମର୍ଥନ ଯୋଗୁ ଏପରି ଆୟୋଜନ ସମ୍ଭବ ହୋଇଛି ବୋଲି କହିଛନ୍ତି ରାଜ୍ୟ ଫେନ୍ସିଂ ସଙ୍ଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ। ଗତ କିଛିବର୍ଷ ମଧ୍ୟରେ ଓଡ଼ିଶାର ଫେନ୍ସିଂ କ୍ରୀଡ଼ାରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି। ଆଗାମୀ ଦିନରେ ଏପରି ଅନେକ ଜାତୀୟ ପ୍ରତିଯୋଗିତା ଆୟୋଜନ ହେବ ବୋଲି ସେ କହିଛନ୍ତି।

 

Share