ଭୁବନେଶ୍ୱର,୨୯ା୧(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଓସେପା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନିମନ୍ତେ ପରୀକ୍ଷାରେ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏଥିରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ଲେଖାଳି, ଏକ ଘଣ୍ଟାର ପରୀକ୍ଷା ସମୟ ଅବଧି ପାଇଁ ଅତିରିକ୍ତ ୨୦ ମିନିଟ୍, ତଳ ମହଲାରେ ପରୀକ୍ଷା ସ୍ଥାନର ବ୍ୟବସ୍ଥା, ଶ୍ରବଣ ବାଧିକଙ୍କ ନିମନ୍ତେ ଦ୍ୱିତୀୟ ଭାଷା SEP ଏବଂ ତୃତୀୟ ଭାଷା Visual Art ଚୟନ କରିବାର ବିକଳ୍ପ ବ୍ୟବସ୍ଥା ରହିଛି। ଦ୍ୱାଦଶ ଶ୍ରେଣୀର ସମସ୍ତ ବର୍ଗର ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର ବ୍ୟବସ୍ଥା କରାଯାଇଛି। ଦଶମ ପରୀକ୍ଷାର୍ଥୀମାନେ ବୋର୍ଡ ଓ୍ବେବ୍ସାଇଟ୍ www.bseodisha.ac.in ଏବଂ ଦ୍ୱାଦଶ ପରୀକ୍ଷାର୍ଥୀମାନେ www.chseodisha.nic.inରେ ଲଗ୍ଇନ୍ କରି ଅଧିକ ବିବରଣୀ ହାସଲ କରିପାରିବେ।
ଏହି ବୈଠକରେ ଅନୁମପ ସାହା, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ସଭାପତି ଏବଂ ସମ୍ପାଦକ, ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ତଥା ଉପାଧ୍ୟକ୍ଷ, ଉପ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା।