ରେଡ ୱାର୍ଣ୍ଣିଂ କାଟାଗୋରି-୧’ରେ ଏସବୁ ଜିଲା

ଭୁବନେଶ୍ୱର,୨୪।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତ ଓ ଗଭୀର ଅବପାତ ପରେ ବାତ୍ୟାର ରୂପ ନେଇ ସାରିଛି। ଏହା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହା ଅତି ଭୀଷଣ ରୂପ ନେବ। ଏହାର ପ୍ରଭାବ ମଧ୍ୟ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ବାତ୍ୟା ‘ୟାସ’ ଦ୍ୱାରା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲା ଅଧିକ ପ୍ରଭାବିତ ହେବ। ସେଥିପାଇଁ ଏହି ୪ ଜିଲାକୁ ‘ରେଡ ୱାର୍ଣ୍ଣିଂ କାଟାଗୋରି-୧’ରେ ରଖାଯାଇଛି। ସେ କହିଛନ୍ତି, ସୃଷ୍ଟି ହୋଇଥିବା ବାତ୍ୟା ସୋମବାର ସନ୍ଧ୍ୟା ସୁଦ୍ଧା ତୀବ୍ର ବାତ୍ୟାରେ ପରିଣତ ହେବ। ଏହି ବାତ୍ୟା ଗତ ୬ ଘଣ୍ଟାରେ ଗତି ନ କରି ସ୍ଥିର ରହିଛି। ବାତ୍ୟା ସ୍ଥିର ରହିଲେ ଅଧିକ ଶକ୍ତିଶାଳୀ ହେବାର ନଜିର ରହିଛି। ସେହିପରି ବାତ୍ୟା ‘ୟାସ୍‌’ ପାଇଁ ରାଜ୍ୟର ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦୀପ ଓ ଧାମରା ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ ଓ ଗୋପାଳପୁର ପାଇଁ ୩ ନଂ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

Share