Categories: ଜାତୀୟ

ସବୁ ପଞ୍ଚାୟତରେ ହେବ ଡିଜିଟାଲ ପେମେଣ୍ଟ

ନୁଆଦିଲ୍ଲୀ, ୩୦ା୬: ଆସନ୍ତା ସ୍ବାଧୀନତା ଦିବସଠାରୁ ଦେଶର ସବୁ ପଞ୍ଚାୟତ ୟୁପିଆଇକ୍ଷମ ହେବ ବୋଲି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପଞ୍ଚାୟତଗୁଡ଼ିକରେ ହେଉଥିବା ସମସ୍ତ ଉନ୍ନୟନ କାର୍ଯ୍ୟ ଏବଂ ରାଜସ୍ବ ସଂଗ୍ରହ ପାଇଁ ଡିଜିଟାଲ ପେମେଣ୍ଟ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ। ରାଜ୍ୟଗୁଡ଼ିକ ଏହା ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ, ଏମ୍‌ପି, ବିଧାୟକମାନଙ୍କ ଭଳି ବ୍ୟକ୍ତିମାନଙ୍କ ଉପସ୍ଥିତିରେ ୟୁପିଆଇକ୍ଷମ ପଞ୍ଚାୟତଗୁଡ଼ିକର ଉଦ୍‌ଘାଟନ କରିବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଲେଖାଯାଇଥିବା ଚିଠିରେ ଏହା ଉଲ୍ଲେଖ ରହିଛି। ବର୍ତ୍ତମାନ ସୁଦ୍ଧା ୯୮ ପ୍ରତିଶତ ପଞ୍ଚାୟତରେ ୟୁପିଆଇ ଭିତ୍ତିକ ପେମେଣ୍ଟ ବ୍ୟବହାର ଆରମ୍ଭ ହୋଇଯାଇଥିବା ପଞ୍ଚାୟତିରାଜ ମନ୍ତ୍ରଣାଳୟ ସଚିବ ସୁନୀଲ କୁମାର କହିଛନ୍ତି। ସେବା ପ୍ରଦାନକାରୀ ଏବଂ ଭେଣ୍ଡରମାନଙ୍କ ସହ ଶୁକ୍ରବାର ବୈଠକ କରିବା ପାଇଁ ପଞ୍ଚାୟତଗୁଡ଼ିକୁ କୁହାଯାଇଛି। ଗୁଗଲପେ, ଫୋନ୍‌ପେ, ପେଟିଏମ୍‌, ଭିମ୍‌, ମୋବିକୁଇକ୍‌, ହ୍ବାଟ୍ସଆପ୍‌ପେ, ଆମାଜନପେ ଏବଂ ଭାରତପେ ଆଦି ୟୁପିଆଇ ପ୍ଲାଟ୍‌ଫର୍ମଗୁଡ଼ିକର କର୍ମଚାରୀମାନଙ୍କ ଯୋଗାଯୋଗ ବିବରଣୀ ମନ୍ତ୍ରଣାଳୟ ପକ୍ଷରୁ ଶେୟାର କରାଯାଇଛି। ଜୁଲାଇ ୧୫ ସୁଦ୍ଧା ପଞ୍ଚାୟତଗୁଡ଼ିକୁ ଉପଯୁକ୍ତ ସେବା ପ୍ରଦାନକାରୀ ଚୟନ କରିବାକୁ ହେବ ଏବଂ ଜୁଲାଇ ୩୦ ସୁଦ୍ଧା ଭେଣ୍ଡର ଚୂଡ଼ାନ୍ତ କରିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡ୍‌ଲାଇନରେ କୁହାଯାଇଛି।

Share