Advertisement

ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ସ୍ବାଧୀନ ପ୍ରାର୍ଥୀଙ୍କ ସହ ସର୍ବଦଳୀୟ କମିଟିର ଆଲୋଚନା

କୋରାପୁଟ,୨୩ା୧(ସ୍ବ.ପ୍ର.): କୋରାପୁଟ ଜିଲାର ପଟ୍ଟାଙ୍ଗୀ ବ୍ଳକ ଅଧୀନ ଜିଲା ପରିଷଦ ଜୋନ -୧ରେ ଯାଉଥିବା କୋଟିଆ ପାଇଁ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ୨ଜଣ ମହିଳା ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

ଶନିବାର ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ଓ ସବିନା ବୁଡିଆଙ୍କ ସହ ସର୍ବଦଳୀୟ କମିଟିର ସଦସ୍ୟମାନେ କୋରାପୁଟଠାରେ ଆଲୋଚନା କରିଛନ୍ତି। ବିଜେଡି ଜିଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଭାଜପା ଜିଲା ସଭାପତି ସୁମନ୍ତ ପ୍ରଧାନ, କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ ପ୍ରମୁଖ ସ୍ବାଧୀନ ପ୍ରାର୍ଥୀ ଟିକାଇ ଓ ସବିନାଙ୍କ ସହ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ନେଇ ଆଲୋଚନା କରିଥିଲେ। ଏହି ଆଲୋଚନାର ସୁଫଳ ମିଳିପାରେ ବୋଲି ଆଶା କରାଯାଉଥିବା ବିଜେଡି ଜିଲା ସଭାପତି ପାଣିଗ୍ରାହୀ କହିଛନ୍ତି। ସୂଚନାଯୋଗ୍ୟ, କୋଟିଆ ଜିଲା ପରିଷଦ ନିମନ୍ତେ ୩ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ପଞ୍ଚାୟତର ସରପଞ୍ଚ ପାଇଁ ୯ ଜଣ, ସମିତି ସଭ୍ୟ ପାଇଁ ଜଣେ ଏବଂ ୱାର୍ଡମେମ୍ବର ଲାଗି ୧୪ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share