Categories: ଜାତୀୟ

ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୩।୧୨(ପି.ଟି.): ଆସନ୍ତା ୪ ତାରିଖରେ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏଥିପାଇଁ ଶନିବାର ସର୍ବଦଳୀୟ ବୈଠକ ବସିଥିଲା। ଏହି ଅଧିବେଶନରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ସମ୍ଭାବ୍ୟ ବହିଷ୍କାର, ଆପରାଧିକ ଆଇନ ସ୍ଥାନରେ ତିନୋଟି ନୂଆ ବିଲ୍‌, ନିର୍ବାଚନ କମିଶନର ନିଯୁକ୍ତି ଲାଗି ପ୍ରସ୍ତାବିିତ ଆଇନ ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି। ଗୃହରେ ଆଲୋଚନା ପାଇଁ ଅନୁକୂଳ ବାତାବରଣ ସୁନିଶ୍ଚିତ କରିବା ନିମନ୍ତେ ସର୍ବଦଳୀୟ ବୈଠକରେ ସରକାର ବିରୋଧୀ ଦଳଗୁଡ଼ିକୁ ନିବେଦନ କରିଛନ୍ତି। ପାର୍ଲାମେଣ୍ଟର ସବୁ ଦଳର ନେତାମାନଙ୍କ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିଲେ। ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ, କଂଗ୍ରେସ ନେତା ଜୟରାମ ରମେଶ, ଗୌରବ ଗୋଗୋଇ, ପ୍ରମୋଦ ତିଓ୍ବାରୀ, ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡେରେକ ଓ’ବ୍ରାଏନ୍‌, ଏନ୍‌ସିପି ନେତା ଫୌଜିଆ ଖାନ୍‌ ପ୍ରମୁଖ ଯୋଗଦେଇଥିଲେ। ରବିବାର ୪ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ଥିବାରୁ ଏହା ଶୀତ ଅଧିବେଶନକୁ ପ୍ରଭାବିତ କରିବ।
‘କ୍ୟାଶ୍‌ ଫର୍‌ କ୍ୱେରି’ ଅଭିଯୋଗରେ ଟିଏମ୍‌ସି ଏମ୍‌ପି ମହୁଆଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ କରିଥିବାବେଳେ ସୋମବାର ଅଧିବେଶନର ପ୍ରଥମ ଦିନରେ ଏହାକୁ ଗୃହରେ ଉପସ୍ଥାପନ କରାଯିବ। ମହୁଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଏଥିକ୍ସ କମିଟି ରିପୋର୍ଟ ଉପରେ ଗୃହରେ ଆଲୋଚନା ପାଇଁ ଟିଏମ୍‌ସି ନେତା ଦାବି କରିଛନ୍ତି। ଏହା ବ୍ୟତୀତ ମଣିପୁର ସ୍ଥିତି, ଦରଦାମ୍‌ ବୃଦ୍ଧି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇର ଦୁରୁପଯୋଗ, ଆଇନ ନାଁରେ ହିନ୍ଦୀ ଭାଷାକୁ ଲଦିଦିଆଯିବା ଆଦି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବିରୋଧୀ ଚାପ ପକାଇଥିବା ତିଓ୍ବାରୀ କହିଛନ୍ତି। ଅନ୍ୟପକ୍ଷରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିବାବେଳେ ଏଥିପାଇଁ ଗୃହରେ ଅନୁକୂଳ ବାତାବରଣ ବଜାୟ ରଖିବା ପାଇଁ ସେ ଆଶାବ୍ୟକ୍ତ କରିଛନ୍ତି। ସେହିପରି ମହାରାଷ୍ଟ୍ରରେ ମରାଠା ଏବଂ ଧାଙ୍ଗର ସମ୍ପ୍ରଦାୟ ପାଇଁ ସଂରକ୍ଷଣ ପ୍ରସଙ୍ଗ ଆଲୋଚନା ନିମନ୍ତେ ଶିବସେନା ନେତା ରାହୁଲ ଶଓ୍ବୋଲେ କହିଥିଲେ।

Share