Categories: ଜାତୀୟ

ଆଜି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୯ା୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ କେନ୍ଦ୍ର ସରକାର ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ଉକ୍ତ ବୈଠକରେ ଅଧିବେଶନକୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଅଧିବେଶନ ଆରମ୍ଭର ପୂର୍ବ ସନ୍ଧ୍ୟାରେ ବିଭିନ୍ନ ଦଳର ନେତା ଏକାଠି ହେବା ପାରମ୍ପରିକ ଘଟଣା। ବୈଠକରେ କେତେଜଣ ବରିଷ୍ଠ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ସେହିପରି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନକର ମଙ୍ଗଳବାରକୁ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଅନେକ ଦଳର ନେତା ଉପଲବ୍ଧ ନ ହେବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର ୨୬ ବିରୋଧୀ ଦଳର ନେତାମାନେ ବେଙ୍ଗାଲୁରୁ ବୈଠକରେ ଏକାଠି ହୋଇଥିବାବେଳେ ଶାସକ ଏନ୍‌ଡିଏର ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି। ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର କ୍ୟାବିନେଟ ସହକର୍ମୀ ପ୍ରହଲ୍ଲାଦ ଜୋଷୀ ଏବଂ ପୀୟୂଷ ଗୋୟଲଙ୍କ ସହ ଅଧିବେଶନକୁ ନେଇ ଆଲୋଚନା କରିଛନ୍ତି। ଗୋୟଲ ରାଜ୍ୟ ସଭାରେ ଗୃହର ନେତା ଥିବାବେଳେ ଜୋଷୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଛନ୍ତି।

Share