Categories: ଖେଳ

ଆଇପିଏଲ୍‌ ସ୍ଥଗିତ ହେବାପରେ ବି ଏହିସବୁ ଖେଳାଳିଙ୍କୁ ମିଳିବ ପୂରା ଟଙ୍କା

ନୂଆଦିଲ୍ଲୀ, ୧୩।୫: କରୋନା ଯୋଗୁ ଆଇପିଏଲ ୨୦୨୧କୁ ସ୍ଥଗିତ ରଖିବାକୁ ପଡିଛି। ଏହା ସତ୍ତ୍ୱେ ଡେଭିଡ ୱାର୍ଣ୍ଣର, ପ୍ୟାଟ କମିନ୍ସ ଏବଂ ଷ୍ଟିଭନ ସ୍ମିଥ୍‌ଙ୍କ ପରି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଦରମା ମିଳିବ। ଟୁର୍ନାମେଣ୍ଟ ବାତିଲ ହେବା ସ୍ଥିତିରେ ବିଭିନ୍ନ ବୀମା ଯୋଜନା ଅଧୀନରେ ଏହି ରାଶି ମିଳିବ। ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ ସେମାନଙ୍କ ଅଧିକାଂଶ ଖେଳାଳିଙ୍କ ବୀମା କରିଛି। ଯଦି ଆଇପିଏଲ ବାତିଲ ହୁଏ ତେବେ ଅଷ୍ଟ୍ରେଲୀୟ ଖେଳାଳିମାନେ ପ୍ରାୟ ୧୮ ମିଲିୟନ ଡଲାର ପାଇବେ। ଆଇପିଏଲ ସ୍ଥଗିତ ରହିବା ପରେ ଅଷ୍ଟ୍ରେଲୀୟ ଖେଳାଳି, କୋଚ ଏବଂ ସହଯୋଗୀ କର୍ମଚାରୀମାନେ ଭାରତରୁ ମାଲଦ୍ୱୀପକୁ ଯାଇଥିଲେ। ଏହି ସମସ୍ତ ବ୍ୟକ୍ତିଙ୍କୁ ନିରାପଦରେ ଦେଶକୁ ଫେରାଇ ଆଣିବା ପାଇଁ ଅଷ୍ଟ୍ରେଲିଆ ସରକାର ଏବଂ କ୍ରିକେଟ ବୋର୍ଡ ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ମେ ୧୫ରୁ ଅଷ୍ଟ୍ରେଲିଆର ସୀମା ଖୋଲୁଛି। ଖେଳାଳିଙ୍କୁ ଫେରିବା ପାଇଁ ବିସିସିଆଇ ଏବଂ ଆଇପିଏଲ ଫ୍ରାଞ୍ଚାଇଜ ଚାର୍ଟାର୍ଡ ବିମାନ ଯୋଗାଉଛି।
ଆଇପିଏଲର ଅବଶିଷ୍ଟ ମ୍ୟାଚ ଟି -୨୦ ବିଶ୍ୱକପ ପୂର୍ବରୁ ଆୟୋଜିତ ହେବାର ସମ୍ଭାବନା ଅଛି। ଚଳିତ ବର୍ଷ ଟି -୨୦ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବ। ଭାରତ ବ୍ୟତୀତ ଇଂଲଣ୍ଡ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟ ଆଇପିଏଲ ଇଭେଣ୍ଟ ପାଇଁ ସମ୍ଭାବ୍ୟ ସ୍ଥାନ ଭାବରେ ଉଭା ହେଉଛନ୍ତି। ତେବେ ସେପ୍ଟେମ୍ବରରେ ଅବଶିଷ୍ଟ ଆଇପିଏଲ ମ୍ୟାଚ ଆୟୋଜନ କରିବା ବିସିସିଆଇ ପାଇଁ ସହଜ ହେବ ନାହିଁ।