ବାଲେଶ୍ୱର ଅଫିସ, ୯।୧: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି । ବାଲେଶ୍ବର ଜିଲାରେ ମଧ୍ୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହାକୁ ନଜରରେ ରଖି ଜିଲାର ସମସ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଇଛି । ଆଜି ସନ୍ଧ୍ୟାରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଜିଲାର ପଞ୍ଚଲିଙ୍ଗେଶ୍ବର, କ୍ଷୀରଚୋରା ଗୋପୀନାଥ ମନ୍ଦିର, ଇମାମି ଜଗନ୍ନାଥ ମନ୍ଦିର, ଚନ୍ଦନେଶ୍ବର ମନ୍ଦିର, ନୀଳଗିରି ଜଗନ୍ନାଥ ମନ୍ଦିରକୁ ଜିଲା ପ୍ରଶାସନ ବନ୍ଦ କରିଛନ୍ତି । ପୂର୍ବରୁ ଆଜି ସନ୍ଧ୍ୟାରୁ ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।