୩ରୁ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଖୋର୍ଦ୍ଧା ଅଫିସ,୨୫ା୧୨:ଆସନ୍ତା ଜାନୁୟାରୀ ୩ତାରିଖରୁ ଖୋର୍ଦ୍ଧା ଜିଲାର ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ଏସ୍‌ଓପି ଜାରି କରାଯାଇଛି। କୋଭିଡ୍‌-୧୯ ଗାଇଡ୍‌ଲାଇନ ଅନୁଯାୟୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ସନତ ମହାନ୍ତି କହିଛନ୍ତି। ତେବେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ଏବଂ ଅନ୍ୟ ମନ୍ଦିର ଏଥିରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ବିଭିନ୍ନ ମନ୍ଦିର ପରିଚାଳନା ଏବଂ ଧର୍ମାନୁଷ୍ଠାନ କମିଟିର କର୍ମକର୍ତ୍ତାଙ୍କ ସହ ପ୍ରଶାସନ ଡିସେମ୍ବର ୨୧ରେ ବୈଠକ କରିଥିଲା। ଏବେ ମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଭକ୍ତଙ୍କ ମହଲରେ ଉତ୍କଣ୍ଠା ଓ ଉତ୍ସାହ ଦେଖିବାକୁ ମିଳିଛି। କୋଭିଡ୍‌ ଗାଇଡ୍‌ଲାଇନକୁ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ କଡାକଡି ପାଳନ କରିବେ। ମାସ୍କ ବାଧ୍ୟତାମୂଳକ କରାଯାଇଛି। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ ବ୍ୟବସ୍ଥା ରହିବ। ଦର୍ଶନ ସମୟରେ ଶ୍ରଦ୍ଧାଳୁ ସାମାଜିକ ଦୂରତା ରକ୍ଷା କରିବେ। ୬୫ବର୍ଷରୁ ଉର୍ଦ୍ଧ୍ୱ ଏବଂ ୧୦ବର୍ଷରୁ କମ୍‌ ବୟସର ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ମନ୍ଦିରକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ ପରାର୍ମଶ ଦିଆଯାଇଛି। କୋଭିଡ ନିୟମ ଉଲ୍ଲଘଂନ ହେଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଏବଂ ଏପିଡେମିକ ଡିଜିଜ୍‌ ଆକ୍ଟ ୧୯୮୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ସ୍ଥାନୀୟ ତହସିଲଦାର ଓ ଭାରପ୍ରାପ୍ତ ଥାନାଧିକାରୀମାନଙ୍କ ତରଫରୁ ଏନ୍‌ଫୋର୍ସମେଣ୍ଟ ଟିମ ଗଠନ କରାଯାଇଛି। ଏହି ଟିମ୍‌ ନିଜ ଅଞ୍ଚଳରେ ମନ୍ଦିରରେ ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Share