୩୧ ଜାନୁୟାରୀ ପର୍ଯ୍ୟନ୍ତ ସବୁ ସ୍କୁଲ୍‌ ବନ୍ଦ, ସରକାରଙ୍କ ଘୋଷଣା…

ଡେରାଡୁନ୍‌, ୨୪।୧ : ଉତ୍ତରାଖଣ୍ଡରେ ସମସ୍ତ ସ୍କୁଲ୍‌ କଲେଜକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବନ୍ଦ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଏଥିରେ କେତେକ ପରିବର୍ତ୍ତନ କରାଯାଇଛି।

ଏହା ଅନୁସାରେ ଅଫ୍‌ଲାଇନ୍‌ କ୍ଲାସ ଆଉ କିଛି ସମୟ ପାଇଁ ସ୍ଥଗିତ ରହିବ ଏବଂ କେବଳ ଅନ୍‌ଲାଇନ୍‌ ମାଧ୍ୟମ ମାଧ୍ୟମରେ ପାଠପଢ଼ା କରାଯିବ। ସରକାରଙ୍କ ପକ୍ଷରୁ ହୋଇଥିବା ଟୁଇଟ ଅନୁଯାୟୀ, ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଅଙ୍ଗନୱାଡି କେନ୍ଦ୍ର, କୋଚିଂ ସେଣ୍ଟର ଇତ୍ୟାଦି ବନ୍ଦ ରହିବ।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହା ସହିତ ବଜାର, ମଲ, ସର୍ବସାଧାରଣ ସମାବେଶ ଇତ୍ୟାଦି ସମ୍ବନ୍ଧରେ ମଧ୍ୟ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରାତିର କର୍ଫ୍ୟୁର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଫ୍ୟୁ ଜାରି ରହିବ। ସମସ୍ତ ପ୍ରକାର ବଜାର କେବଳ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।

ଏହା ବ୍ୟତୀତ ଜିମ, ଶପିଂ ମଲ, ସିନେମା ହଲ, ସେଲୁନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସମାବେଶ କ୍ଷେତ୍ରରେ ସମସ୍ତ କୋଭିଡ-୧୯ ନିୟମ ଅନୁସରଣ କରି ଜନସାଧାରଣଙ୍କୁ କେବଳ ୫୦ ପ୍ରତିଶତ କ୍ଷମତା ସହିତ ଅନୁମତି ଦିଆଯାଇଛି।

କ୍ରୀଡା ଷ୍ଟାଡିୟମରେ ମଧ୍ୟ ସମାନ ନିୟମ ଲାଗୁ ହେବ। ଜାନୁୟାରୀ ୩୧ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ରାଜନୈତିକ ସମାବେଶ ଆୟୋଜିତ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

Share