ଆସନ୍ତା ୨୮, ୨୯ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର,୨୫।୩(ବ୍ୟୁରୋ): ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଆସନ୍ତା ୨୮ ଓ ୨୯ତାରିଖ ଦୁଇଦିନ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। ଏହି ଦୁଇଦିନ କୌଣସି ପ୍ରକାରର ପାଠପଢ଼ା ହେବ ନାହିଁ। ଏ ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ସମସ୍ତ ଜିଲା ଶିକ୍ଷା ଅଧିକାରୀ, ସ୍କୁଲ ଓ ଗଣଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ୨୮ ଓ ୨୯ତାରିଖରେ ଦୋଳ ଓ ହୋଲି ଯୋଗୁ ପାଠପଢ଼ା ନ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ରାଜ୍ୟର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ବେସରକାରୀ ସ୍କୁଲ ପାଇଁ ଉଦ୍ଦିଷ୍ଟ। ଏହି ଦୁଇଦିନ କୌଣସି ପ୍ରକାରର ପାଠପଢ଼ା ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାନୁୟାରୀ ୨ତାରିଖରେ ସମସ୍ତ ସ୍କୁଲକୁ ନବମ ଓ ଏକାଦଶ ଶ୍ରେଣୀର ପିଲାଙ୍କୁ ସ୍କୁଲରେ ପାଠପଢ଼ା ଏବଂ ଅନ୍ୟ ଶ୍ରେଣୀର ପିଲାମାନଙ୍କୁ ଅନ୍‌ଲାଇନରେ ପାଠପଢ଼ା ପାଇଁ ଅନୁମତି ଦେଇଥିଲେ।

Share