ଭାଷଣସର୍ବସ୍ବ ସରକାର

ଆକାର ପଟେଲ

ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଆମ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନ୍ୟାନ୍ୟ ଉତ୍ସବ ପରି ଏହା ଏକ ମହାନ୍‌ ସମାରୋହ ହେବା ନିଶ୍ଚିତ। ଏହା ଅଗଷ୍ଟ ୫ରେ ହେବ, ଯାହାକି କଶ୍ମୀର ତା’ର ସାମ୍ବିଧାନିକ ମାନ୍ୟତା ହରାଇବାର ପ୍ରଥମ ବାର୍ଷିକ ଦିବସ। ଚଳିତ ବର୍ଷ ଛଅମାସରେ କଶ୍ମୀରରେ ହିଂସା ଘଟଣାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗତବର୍ଷ ତୁଳନାରେ ଏହା ଦୁଇଗୁଣ ଅଧିକ। ଏହି ସରକାର ଅଧୀନରେ କଶ୍ମୀରରେ ହିଂସା ବୃଦ୍ଧି ପାଉଛି, ଯାହା କି ବାଜପେୟୀ ଓ ମନମୋହନ ସିଂଙ୍କ ଅମଳରେ ହ୍ରାସ ପାଉଥିଲା। କଶ୍ମୀରକୁ ସାମରିକ ଶାସନ ମାଧ୍ୟମରେ ନିୟନ୍ତ୍ରଣରେ ରଖାଯାଉଛି। କଶ୍ମୀରବାସୀଙ୍କର କୌଣସି ଇଣ୍ଟରନେଟ୍‌ ସଂଯୋଗ ନାହିଁ। ତେଣୁ ସେମାନେ ନିଜର ଭାବ ପ୍ରକାଶ କରିପାରୁ ନାହାନ୍ତି। ସୁପ୍ରିମ୍‌କୋର୍ଟରେ ସେମାନଙ୍କ ଆବେଦନର ଶୁଣାଣି କରାଯାଉ ନାହିଁ। ଏହାକୁ ବୋଧହୁଏ ଅନ୍ୟ ଅନେକ ଆବେଦନ ପରି ଗୁରୁତ୍ୱ ଦିଆଯାଉ ନାହିଁ।
ଏବେ ଆସନ୍ତୁ କୋଭିଡ୍‌ ବିରୋଧରେ ଚାଲିଥିବା ଆମର ଯୁଦ୍ଧ ପ୍ରସଙ୍ଗକୁ ଯିବା। ଏହି ମହାମାରୀ ହେଉଛି ଏପରି ରୋଗ ଯାହା ସରକାରଙ୍କ ଦ୍ୱାରା କେବଳ ଆଂଶିକ ନିୟନ୍ତ୍ରିତ ହୋଇପାରିବ। କିନ୍ତୁ ଏପରି କିଛି ଜିନିଷ ଅଛି ଯାହା ସରକାର କରିପାରିବେ। ପଡୋଶୀ ପାକିସ୍ତାନ ସଂକ୍ରମଣ ହାରକୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିବା ଜଣାପଡିଛି। ସେଠାରେ ଜୁନ୍‌ ୧୪ରେ ୬୮୦୦ ନୂଆ ସଂକ୍ରମଣ ଘଟିଥିବା ବେଳେ ଜୁନ୍‌ ୨୮ରେ ତାହା ୪୦୦୦କୁ କମିଲା ଏବଂ ଜୁଲାଇ ୨୪ରେ ଏହା ୧୨୦୦କୁ ହ୍ରାସ ପାଇଛି। କିନ୍ତୁ ଭାରତରେ ଜୁନ୍‌ ୧୪ରେ ୧୧୦୦୦ ସଂକ୍ରମଣ ମାମଲାରୁ ଜୁନ୍‌ ୨୮ରେ ୨୦୦୦୦ ଏବଂ ଜୁଲାଇ ୨୪ରେ ପ୍ରାୟ ୪୯୦୦୦ ମାମଲାକୁ ବୃଦ୍ଧି ପାଇଛି। ପାକିସ୍ତାନର ଜନସଂଖ୍ୟା ଆମର ଏକ ପଞ୍ଚମାଂଶ ହୋଇଥିବା ବେଳେ ସେହି ତୁଳନାରେ କିଛିଦିନ ତଳେ ସେମାନଙ୍କ ସଂକ୍ରମଣ ହାର ଆମଠାରୁ ଅଧିକ ଥିଲା। ବର୍ତ୍ତମାନ ସେମାନେ ଏହାକୁ ନିୟନ୍ତ୍ରଣାଧୀନ କରିପାରିଥିବା ବେଳେ ଭାରତ ତାହା କରିପାରି ନାହିଁ। ସମାନ ଅବଧିରେ ବାଂଲାଦେଶରେ ମଧ୍ୟ ମାମଲା ହ୍ରାସ ପାଇବାରେ ଲାଗିଛି। ଏପରି ସମୟରେ ନିଜର ବଡ଼ ଘୋଷଣା କରିବାରେ କିନ୍ତୁ ମୋଦି ପଛଘୁଞ୍ଚା ଦେଉନାହାନ୍ତି।
ନଭେମ୍ବର ୮, ୨୦୧୬ ରାତି ୮ଟାରେ ଅତି ଉତ୍ସାହର ସହ ସେ ଯେଉଁ ଘୋଷଣା କରିଥିଲେ ତାହା ଭାରତୀୟ ଅର୍ଥବ୍ୟବସ୍ଥାକୁ ଖରାପ କରିଦେଲା। ଜିଡିପି ତଥ୍ୟକୁ ଜାଲିଆତି କରି ସରକାର ଏହାର କ୍ଷତି ଲୁଚାଇବାକୁ ଚେଷ୍ଟା କଲେ। ଦୁଇ ସପ୍ତାହ ପୂର୍ବେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ସି. ରଙ୍ଗରାଜନ୍‌ କହିଥିଲେ ଯେ ଜିଡିପି ହିସାବ କରିବାର ପଦ୍ଧତିକୁ ନେଇ ସରକାର ବିବାଦର ଅନ୍ତ ଘଟାଇବା ଉଚିତ। ଏହି ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ନିଜେ ହିସାବ କରି କହିଛନ୍ତି ଯେ ପ୍ରକୃତରେ ଜିଡିପି ଅଭିବୃଦ୍ଧି ଯେତିକି ହୋଇଛି, ଭାରତ ତାକୁ ୨.୫% ଅଧିକ କରି ରିପୋର୍ଟ କରୁଛି।
ଶନିବାର ମିଣ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ସମସ୍ତ ଅର୍ଥନୈତିକ ସୂଚକାଙ୍କ ଦର୍ଶାଇଛି ଯେ ସରକାର ମିଛ କହୁଛନ୍ତି। କାରଖାନା ଉତ୍ପାଦନରେ ଅଭିବୃଦ୍ଧି ୨୦୧୧ରେ ୯% ଥିଲାବେଳେ ତାହା ୨%କୁ ହ୍ରାସ ପାଇଛି। ମୋଦି ସରକାରଙ୍କ ନିଜସ୍ବ ଜାତୀୟ ନମୁନା ସର୍ବେକ୍ଷଣରୁ ଜଣାପଡିଛି ଯେ ଗ୍ରାମାଞ୍ଚଳର ଉପଭୋଗ ବିଯୁକ୍ତ ୧.୫% ବୃଦ୍ଧି ପାଇଛି, ଅର୍ଥାତ୍‌ ଏହା ହ୍ରାସ ପାଇଛି। ଏପରିକି ସହରୀ ଉପଭୋଗ ୩.୪%ରୁ ୦.୩%କୁ ହ୍ରାସ ପାଇଛି। କର୍ପୋରେଟ୍‌ ନିବେଶ ୨୩% ଅଭିବୃଦ୍ଧିରୁ ବିଯୁକ୍ତ ୧.୮%ରେ ପହଞ୍ଚିଛି। ବ୍ୟାଙ୍କ କ୍ରେଡିଟ୍‌ ଅଭିବୃଦ୍ଧି ୧୪%ରୁ ୪%କୁ ହ୍ରାସ ପାଇଛି। କିନ୍ତୁ ଜିଡିପି ଅଭିବୃଦ୍ଧି ଆକଳନ ସମାନ ରହିଛି: ମୋଦିଙ୍କ ପୂର୍ବରୁ ୭% ଥିଲା ଏବଂ ପରେ ବି ୭% ଅଛି, ଯାହା କି ଉପରୋକ୍ତ ସମସ୍ତ ତଥ୍ୟ ଦୃଷ୍ଟିରୁ ଅବିଶ୍ୱସନୀୟ। ବେକାରି ହାର ସର୍ବୋଚ୍ଚ ୮% ଛୁଇଁଛି ଯାହା ଇତିହାସରେ ଦେଖାଯାଇ ନ ଥିଲା। ଶୁକ୍ରବାର ଦିନ ଆର୍‌ବିଆଇ କହିଛି ଯେ ବ୍ୟାଙ୍କଗୁଡିକର ଅଚଳ ପରିସମ୍ପତ୍ତି (ଏନ୍‌ପିଆଇ) ମାର୍ଚ୍ଚ ସୁଦ୍ଧା ବର୍ତ୍ତମାନର ୮.୫%ରୁ ୧୨.୫%କୁ ବୃଦ୍ଧି ପାଇବ ଏବଂ ବୋଧହୁଏ ଏହା ଆହୁରି ବୃଦ୍ଧି ପାଇପାରେ। କିନ୍ତୁ ଅର୍ଥମନ୍ତ୍ରୀ ଅର୍ଥନୀତିରେ ଉନ୍ନତିର ଆଶା ଅଛି ବୋଲି କହିଛନ୍ତି, ଯଦିଚ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ଗ୍ରହଣ କରନ୍ତି ନାହିଁ।
ମେକ୍‌ ଇନ୍‌ ଇଣ୍ଡିଆ ପରି ବଡ଼ ଘୋଷଣା କରି ମୋଦି ସେଠାରୁ ମଧ୍ୟ ଆଗ୍ରହ ହରାଇଛନ୍ତି। ଭାରତରେ ଜିଡିପିରେ ମାନୁଫ୍ୟାକ୍ଚରିଂ ଶିଳ୍ପର ଅଂଶ ଘୋଷଣା ପୂର୍ବରୁ ୧୫%ରୁ ପରେ ୧୪%କୁ ହ୍ରାସ ପାଇଛି। ଏହି ସମୟରେ ଭିଏତ୍‌ନାମ ଏବଂ ବାଂଲାଦେଶ ଉପରକୁ ଉଠିଛନ୍ତି। କେବଳ ଘୋଷଣା କରିବା ଛଡ଼ା ଏହି ସରକାର କ’ଣ କରିପାରନ୍ତି ତାହା ଦେଖିବାକୁ ପଡିବ। ଦକ୍ଷିଣ ଏସିଆର ନିର୍ଯାତିତ ସଂଖ୍ୟାଲଘୁଙ୍କୁ ମୋଦି କିପରି ସୁରକ୍ଷା ଦେବେ ସେ ନେଇ ନାଗରିକତ୍ୱ ସଂଶୋଧନ ଅଧିନିୟମ ଏକ ବଡ଼ ଧମାକା ସହିତ ପାରିତ ହେଲା। କିନ୍ତୁ ଆଇନର ନିୟମଗୁଡ଼ିକ ଏପର୍ଯ୍ୟନ୍ତ ସରକାର ଲେଖି ନାହାନ୍ତି। ଏହାର ଅର୍ଥ ଏହା କାର୍ଯ୍ୟକାରୀ ନୁହେଁ ଏବଂ କାହାକୁ ସୁରକ୍ଷା ଦେଇପାରିବ ନାହିଁ। ଚାଇନା ସହିତ ସୀମାରେ ସମସ୍ୟା ଦେଖାଦେଲା। କିନ୍ତୁ ଲଦାଖରେ ଏକ ଉତ୍ସାହଜନକ ଭାଷଣ ଦେଇ ମୋଦି ଏହାର ସମାଧାନ କରିଦେଲେ। ଏହା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଅକ୍ଟୋବର ସୁଦ୍ଧା ସେହି ଅଞ୍ଚଳକୁ ଯିବା ପାଇଁ ଆମେ ବ୍ୟବହାର କରୁଥିବା ପାସ୍‌ଗୁଡିକ ବରଫାଚ୍ଛନ୍ନ ହୋଇଯିବ। ଆମର ସୈନିକମାନଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷଙ୍କୁ ଉପଯୁକ୍ତ ବାସସ୍ଥାନ ବିନା ରହିବାକୁ ପଡିବ। ଡୋକଲାମ ଘଟଣା ପରେ ଗତ ତିନିବର୍ଷ ମଧ୍ୟରେ ଚାଇନା ସେମାନଙ୍କ ସେନା ପାଇଁ ବାସସ୍ଥାନ ନିର୍ମାଣ କରିଥିଲା, ଯାହାକୁ ମୋଦି ହାଲୁକା ଭାବେ ଗ୍ରହଣ କରିଥିଲେ। ଚାଇନିଜମାନେ ଆମ ଅଞ୍ଚଳରେ ପଶିଥିବା ବେଳେ ମୋଦି କହିଲେ ଯେ କୌଣସି ଅନୁପ୍ରବେଶ ହୋଇନାହିଁ। ଏପରି ବିବୃତି ଦେବାର ଆବଶ୍ୟକତା କ’ଣ ଥିଲା?
ଆସନ୍ତା ସପ୍ତାହରେ ମୁଁ ତାଙ୍କ ପରବର୍ତ୍ତୀ ଭାଷଣକୁ ଅନୁଧ୍ୟାନ କରିବି। ଏହା ନିଶ୍ଚୟ ଚିତ୍ତାକର୍ଷକ ଓ ଉତ୍ସାହଜନକ ହେବ ଏବଂ ସେଥିରେ ଅନେକ ପ୍ରତିଶ୍ରୁତି ରହିବ ଯାହା ସେ ସମ୍ଭବତଃ ପୂରଣ କରି ପାରିବେ ନାହିଁ। କିନ୍ତୁ ଅନ୍ତତଃପକ୍ଷେ ସେ ଆମକୁ ଅଧିକ ଭାଷଣ ଓ ଘୋଷଣାର ଗ୍ୟାରେଣ୍ଟି ଦେଇପାରିବେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେରଳର ଆର୍‌. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ...

ଓଡ଼ିଶାର ବିକାଶ ଓ ଶ୍ରୀଜଗନ୍ନାଥ

ଗୋଟିଏ ରାଜ୍ୟର ବିକାଶ ବିବିଧ ଉତ୍ସ ଦ୍ୱାରା ହୋଇଥାଏ। ତନ୍ମଧ୍ୟରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶା କଳା, ସଂସ୍କୃତି, ପ୍ରାକୃତିକ ପରିବେଶ ତଥା ଧାର୍ମିକ...

ମୁକ୍ତ ଅଭିବ୍ୟକ୍ତି ପାଇଁ ନ୍ୟାୟପାଳିକା

ଛୋଟମୋଟ ଘଟଣାରେ ନାଗରିକର ବାକ୍‌ ସ୍ବାଧୀନତା ଦଳି ଦିଆଯାଇପାରିବ ନାହିଁ ବୋଲି ନିକଟରେ ଗୁଜରାଟ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗ୍ରହୀଙ୍କ ବିରୋଧରେ ପୋଲିସ ଦାୟର କରିଥିବା...

Dillip Cherian

ଟାରିଫ୍‌ ଝଡ଼

ଟାରିଫ୍‌ ଝଡ଼କୁ ନିୟନ୍ତ୍ରଣକରିବା ପାଇଁ ବାବୁମାନେ ନିଆରା ତରିକା ଆପଣାଇଛନ୍ତି ଏବଂ ନିକଟରେ ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଏହାର ଏକ ସ୍ପଷ୍ଟ ଦୃଷ୍ଟାନ୍ତ। ଟ୍ରମ୍ପ୍‌...

ଏଇ ଭାରତରେ

ମହାରାଷ୍ଟ୍ରର ଏଭଳି ଅନେକ ଆଦିବାସୀବହୁଳ ଗାଁଗୁଡ଼ିକରେ ସୌରଶକ୍ତି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି କେମିକାଲ ଇଞ୍ଜିନିୟର ତନବୀର ଇନାମଦାର। କେବଳ ଏତିକି ନୁହେଁ, ସେ ପାହାଡ଼ ଉପରେ...

ବଞ୍ଚିବାକୁ ଦିଅ

ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍‌ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ...

ଆୟୁଷ୍ମାନ୍‌ ସ୍ବପ୍ନ ଏବେ ସାକାର

କଥା ଦେଇଥିଲୁ। କଥା ରଖିଲୁ। ସାରା ରାଜ୍ୟବାସୀ ଆଜି ଖୁସି। ବିଶେଷ ଭାବରେ କାମଧନ୍ଦା ଅନ୍ବେଷଣରେ ପେଟପାଟଣା ପାଇଁ ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକ ଭାବେ...

ଚାଇନାରେ ବିବାହ ସଙ୍କଟ

ଗତବର୍ଷ ଚାଇନାରେ ନୂଆ ବିବାହ ସଂଖ୍ୟା ଏକ ପଞ୍ଚମାଂଶ ହ୍ରାସ ପାଇଥିଲା। ଫଳରେ ୨୦୨୪ରେ ଥିବା ଜନ୍ମସଂଖ୍ୟା ୯.୫୪ ମିଲିୟନ ତୁଳନାରେ ୨୦୨୫ରେ ୭.୩ରୁ ୭.୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image