Categories: ଜାତୀୟ

ତିରୁପତି ମନ୍ଦିରକୁ ଘିଅ ସପ୍ଲାଇ କରୁଥିବା କମ୍ପାନୀର ସମସ୍ତ ଅଧିକାରୀ ମୁସଲିମ! ବଡ ଦାବି, ଜାଣନ୍ତୁ ସତ କ’ଣ

ତିରୁପତି,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାର କରାଯାଉଥିବା ବାକୁ ନେଇ ଆଲୋଚନା ସମାଲୋଚନା ବୃଦ୍ଧି ପାଇବାରେ ଲାଗିଛି। ଏବେ ତିରୁପତି ଲଡୁ ବିବାଦକୁ ନେଇ ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମନ୍ଦିରକୁ ଘିଅ ଯୋଗାଉଥିବା କମ୍ପାନୀର ସମସ୍ତ ପରିଚାଳନା ଅଧିକାରୀ ମୁସଲମାନ ବୋଲି ଦାବି କରାଯାଇଛି।

ଭାଇରାଲ ହେଉଥିବା ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଏହି କମ୍ପାନୀର ସମସ୍ତ ଅଧିକାରୀ ପାକିସ୍ତାନର। ତେବେ ଘଟଣାର ଅନୁସନ୍ଧାନ ପରେ ଭାଇରାଲ ସ୍କ୍ରିନସଟର ଦାବି ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତିକର ବୋଲି ଜଣାପଡିଛି। ଭାଇରାଲ ହେଉଥିବା ଅଧିକାରୀଙ୍କ ତାଲିକା ପାକିସ୍ତାନୀ କମ୍ପାନୀ ଆର୍‌ ଫୁଡ ପ୍ରାଇଭେଟ ଲିମିଟେଡର ହୋଇଥିବାବେଳେ ତାମିଲନାଡୁର ଆଉ ଏକ କମ୍ପାନୀ ତିରୁପତି ମନ୍ଦିରକୁ ଘିଅ ଯୋଗାଉଛି।

ନିକଟରେ ହିନ୍ଦୁସ୍ତାନ ଟାଇମ୍ସ ଏକ ରିପୋର୍ଟରେ କହିଛି ଯେ ତାମିଲନାଡୁର ଆର୍‌ ଡାଏରୀ ଫୁଡ କମ୍ପାନୀ ଜୁଲାଇ ୨୦୨୩ ପରେ ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିବା କମ୍ପାନୀଗୁଡିକ ମଧ୍ୟରେ ଅଛି। ଏହି କମ୍ପାନୀ ତାମିଲନାଡୁର ଡିଣ୍ଡିଗୁଲରେ ଅବସ୍ଥିତ। ଏହି କମ୍ପାନୀରେ ରାଜାସେକରନ ଆର, ସୁରିଆ ପ୍ରଭା ଆର ଏବଂ ଶ୍ରୀନିବାସ ଏସ ନାମକ ୩ ଜଣ ଡାଇରେକ୍ଟର ଅଛନ୍ତି।
ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି)ର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ ଶ୍ୟାମଲା ରାଓ ପିଟିଆଇକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ପ୍ରିମିୟର ଏଗ୍ରି ଫୁଡ, କ୍ରିପରାମ ଦୁଗ୍ଧ, ବୈଷ୍ଣବୀ, ଶ୍ରୀ ପାରାଗ କ୍ଷୀର ଏବଂ ଆର୍‌ ଡାଏରୀ ତିରୁପତି ମନ୍ଦିର ବୋର୍ଡର ଘିଅ ଯୋଗାଣକାରୀ।

Share