Categories: ରାଜ୍ୟ

ଶେଷ ଦିନରେ ପ୍ରଚାର ଜୋରଦାର କଲେ ସମସ୍ତ ପାର୍ଟି, ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍

ଭୁବନେଶ୍ୱର,୧୧।୫: ରାଜ୍ୟର ଆସନ୍ତା ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ଶନିବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୪ଟି ଲୋକ ସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌‌ଗ୍ରହଣ ଅନୁଷ୍ଠିତ ହେବ।

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ୍‌‌ ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୩୦ଜଣ ପୁରୁଷ ଏବଂ ୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। କୋରାପୁଟ, କଳାହାଣ୍ଡି ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୮ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି।

୪ଟି ଲୋକ ସଭା କ୍ଷେତ୍ରରେ ମୋଟ୍‌‌ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୭ ହଜାର ୨୮୯ଟି ଏବଂ ୧୪ଟି ଅତିରିକ୍ତ ବୁଥ୍‌‌ ପ୍ରସ୍ତୁତ କରାଯାଇଛି। ମତଦାତାଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ୫୨୭ ଜଣ ପୁରୁଷ, ୩୧ ଲକ୍ଷ ୮୯ ହଜାର ୬୦ ଜଣ ମହିଳା ଏବଂ ୬୩୫ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଛନ୍ତି ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି।

୭୩୦୩ ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି। ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି। ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସର୍ବମୋଟ ୭୩୦୩ଟି ବୁଥ୍ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ ।

Share