ଜଗତ୍‌ସିଂହପୁରରେ ଆଜିଠୁ ଖୋଲିବ ସମସ୍ତ ମନ୍ଦିର

ଜଗତ୍‌ସିଂହପୁର ଅଫିସ,୬।୮: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ ହେବା ପରେ ଶୁକ୍ରବାରଠାରୁ ମା’ ଶାରଳା, ପ୍ରଭୁ ଗୋରେଖନାଥଙ୍କ ସମେତ ଜଗତ୍‌ସିଂହପୁର ଜିଲାର ସମସ୍ତ ମନ୍ଦିର ଖୋଲିବାକୁ ଯାଉଛି। ଏଣିକି କୋଭିଡ୍‌ ମାର୍ଗଦର୍ଶିକା ଅନୁଯାୟୀ ସର୍ବସାଧାରଣ ଦେବଦେବୀଙ୍କ ଦର୍ଶନ କରିପାରିବେ। ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ପ୍ରଶାସନିକ ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଏହା କହିଛନ୍ତି। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ପ୍ରବେଶ କଲାବେଳକୁ ହାତ ସାନିଟାଇଜ୍‌ କରିଥିବେ। ମାସ୍କ ପରିଧାନ ସହ ସାମାଜିକ ଦୂରତା ଅବଲମ୍ବନ କରିବେ। ମା’ଶାରଳା ମନ୍ଦିର ପରିସରରେ ପ୍ରତ୍ୟହ ସକାଳ ୭.୩୦ ଅବକାଶ ପରେ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଅନୁମତି ମିଳିବ। ତେବେ ସନ୍ଧ୍ୟା ଆଳତି ପୂର୍ବରୁ ଅର୍ଥାତ୍‌ ୬ଟାରୁ ମନ୍ଦିର ଭିତରକୁ ପ୍ରବେଶ ମନା କରାଯାଇଛି। ମନ୍ଦିରଗୁଡିକ ଭିତରେ ଯେପରି କୌଣସି ଜନଗହଳି ନ ହୁଏ, ସେଥିପ୍ରତି ସଜାଗ ଦୃଷ୍ଟି ରଖାଯିବ। କୌଣସି ମନ୍ଦିରର ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କୁ ଛଡାଯିବନାହିଁ। ଭକ୍ତମାନେ ଧାଡିରେ ଦର୍ଶନ କରିବେ। ତେବେ ଭୋଗ ଓ ପ୍ରସାଦ ବ୍ୟବସ୍ଥା କରାଯିବ ନାହିଁ। ଏହା ଭିତରେ ମା’ଶାରଳାଙ୍କ ମନ୍ଦିର ଓ ଆଖପାଖ ଅଞ୍ଚଳର ଉନ୍ନତି ପାଇଁ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ମନ୍ଦିର ପରିସର ପୁରୁଣା ଘରଗୁଡିକ ଭଙ୍ଗାଯାଇ ନୂଆଗୃହ ନିର୍ମାଣ ହେଉଛି। ଓଟିଡିସି ମାର୍କେଟ କମ୍ପ୍ଲେକ୍ସ, ପାର୍କିଂ ସ୍ଥାନ ଓ ବଳଭଦ୍ରଙ୍କ ଦାରୁ ସ୍ମାରକୀ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ ହୋଇଛି। ଆଗାମୀଦିନରେ ଶାରଳା ପ୍ରକଳ୍ପ ପରିକଳ୍ପନା କରାଯାଉଛି। ବୈଷୟିକ ପରାମର୍ଶଦାତାଙ୍କ ପରିଦର୍ଶନ ପରେ ବିସ୍ତୃତ ଯୋଜନା ଆରମ୍ଭ ହେବ ବୋଲି ଜିଲାପାଳ ବୈଠକରେ କହିଥିଲେ। ଏଥିରେ ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ କୁମାର ପଣ୍ଡା, ଡିଆଇଭି ଡିଏସ୍‌ପି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲାପାଳଙ୍କ ଓଏସ୍‌ଡି, ଶାରଳା ମନ୍ଦିର ନିର୍ବାହୀ ଅଧିକାରୀ, ଗୋରେଖନାଥ, ଧ୍ୟାନକୁଦ ଓ ଗଡ଼ କୁଜଙ୍ଗ ମନ୍ଦିର ସେବାୟତମାନେ ଉପସ୍ଥିତ ଥିଲେ।

Share