ନୂଆଦିଲ୍ଲୀ, ୧୦।୯: ଟି୨୦ କ୍ରିକେଟ୍ ଇତିହାସରେ ଯେବେ ମଧ୍ୟ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆଲୋଚନା କରାଯିବ ଓ୍ବେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍ ନିଶ୍ଚିତ ଭାବେ ଏହି ତାଲିକାରେ ସ୍ଥାନ ପାଇବେ। ଗେଲ୍ ନିଜକୁ ‘ୟୁନିଭର୍ସ ବସ୍’ ବୋଲି କହିଥାନ୍ତି। ବିଶ୍ୱ ଟି୨୦ କ୍ରିକେଟ୍ (ଅନ୍ତର୍ଜାତୀୟ ସମେତ ବିଭିନ୍ନ ଲିଗ୍)ରେ ସର୍ବାଧିକ ଛକା ମାରିବା ରେକର୍ଡ ଗେଲ୍ (୯୭୮)ଙ୍କ ନାମରେ ରହିଛି। ଏଥିସହ ବିଶ୍ୱ ଟି୨୦ କ୍ରିକେଟ୍ରେ ଅନେକ ବଡ଼ ବଡ଼ ରେକର୍ଡ ମଧ୍ୟ ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ନାମରେ ଲିପିବଦ୍ଧ। ଅନ୍ତର୍ଜାତୀୟ କ୍ରିକେଟ୍ ସମେତ ବିଭିନ୍ନ ଦେଶରେ ଆୟୋଜିତ ଟି୨୦ ଲିଗ୍କୁ ମିଶାଇ ଗେଲ୍ କ୍ରିକେଟ୍ର ଛୋଟିଆ ଫର୍ମାଟ୍ରେ ସର୍ବାଧିକ ୧୩,୨୬୯ ରନ୍ ସଂଗ୍ରହ କରିଛନ୍ତି। ସେହିଭଳି ଟି୨୦ରେ ସର୍ବାଧିକ ଶତକ (୨୨ଟି), ସର୍ବାଧିକ ଅର୍ଦ୍ଧଶତକ (୮୨), ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର (୧୭୫*), ଦ୍ରୁତତମ ଶତକ (୩୦ ବଲ୍), ଗୋଟିଏ କ୍ୟାଲେଣ୍ଡରରେ ସର୍ବାଧିକ ରନ୍ (୨୦୧୫ରେ ୧୬୬୫ ରନ), ସବୁଠାରୁ ଅଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିଜୟୀ (୫୮), ଗୋଟିଏ ଇନିଂସରେ ବାଉଣ୍ଡାରୀରୁ ସର୍ବାଧିକ ରନ୍ (୧୫୪) ଆଦି ରେକର୍ଡ ଗେଲ୍ଙ୍କ ନାମରେ ଲିପିବଦ୍ଧ ରହିଛି।