୮ ତାରିଖରେ ବନ୍ଦ ରହିବ ଏସବୁ ଅଫିସ, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩ା୭: ଚଳିତବର୍ଷ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ। ଏହା ଏକ ବିରଳ ରଥଯାତ୍ରା। ତେଣୁ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ୨ ଦିନ ଛୁଟି ଘୋଷଣା କରିଛନ୍ତି। ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ,କଲେଜ ଛୁଟି ରହିବ ବୋଲି  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବୁଧବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୮ ତାରିଖରେ ରାଜସ୍ବ, ବ୍ୟାଙ୍କ ଏବଂ କୋର୍ଟ ଛୁଟି ରହିବ।  ଛୁଟି ନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପାଇଛି।

ପୁରୀଠାରେ ମଙ୍ଗଳବାର ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ। ସରକାରୀ ଛୁଟି ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ତୁରନ୍ତ ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରାର ସମୀକ୍ଷା ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚିଥିଲେ। ସ୍ଥାନୀୟ ଟାଉନ୍‌ ହଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରା ସମ୍ପନ୍ନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମହାପ୍ରଭୁଙ୍କ ସେବାକୁ ଜୀବନର ବ୍ରତ ଭାବେ ପାଳନ କରିବାକୁ ସରକାରୀ ଅଧିକାରୀମାନଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସ୍‌ପି, ସେବାୟତଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ରଥ ନିର୍ମାଣ ଅଗ୍ରଗତି, ନୀତିକାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଯୋଗାଣ, ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ପରିବହନ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା, ପରିମଳ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସବିଶେଷ ଭାବେ ଆଲୋଚନା ହୋଇଥିଲା।