Categories: ଜାତୀୟ

ଏବେ କ’ଣ କରିବେ ଭାଜପାର ଏସବୁ ବରିଷ୍ଠ ନେତା…

ଭୋପାଳ୧୨।୧୨ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପାର ବହୁ ବରିଷ୍ଠ ନେତାଙ୍କୁ ପଛରେ ପକାଇ ହାଇକମାଣ୍ଡ ନୂଆ ଚେହେରା ଡ. ମୋହନ ଯାଦବଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କରିଛନ୍ତି। ୫୮ ବର୍ଷ ବୟସ୍କ ମୋହନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସ୍ଥାନ ନେଇଛନ୍ତି। ରାଜ୍ୟରେ ଭାଜପାର ନୂତନ ପିଢ଼ିଙ୍କୁ ଆଗକୁ ଆଣିବା ପାଇଁ ମୋହନ  ମୁଖ୍ୟମନ୍ତ୍ରୀ ହେବା ଏକ ବଡ ପଦକ୍ଷେପ ବୋଲି କୁହାଯାଉଛି।
ଭାଜପାର କେନ୍ଦ୍ରୀୟ କମାଣ୍ଡ ନରେନ୍ଦ୍ର ସିଂ ତୋମାର, କୈଲାଶ ବିଜୟଭର୍ଗିୟ, ପ୍ରହଲାଦ ସିଂ ପଟେଲ, ରାକେଶ ସିଂ ଏବଂ ଭି.ଡି ଶର୍ମାଙ୍କ ବଦଳରେ ମୋହନଙ୍କୁ ଅଗ୍ରାଧିକାର ଦେଇଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଏହି ବରିଷ୍ଠ ନେତାଙ୍କର ରାଜ୍ୟରେ ସ୍ଥାନ ରହିବ କି ନାହିଁ ସେନେଇ ରାଜନୈତିକମହଲରେ ଏକ ବଡ଼ ପ୍ରଶ୍ନ ଉଠୁଛି।
୧୮ ବର୍ଷ ଧରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ବର୍ତ୍ତମାନ ଅସୁବିଧାରେ ଅଛନ୍ତି କି? ତାଙ୍କର ଭବିଷ୍ୟତ କ’ଣ ହେବ ? ଶିବରାଜ ଏବେ କେନ୍ଦ୍ରୀୟ ରାଜନୀତିକୁ ଯିବେ  ବୋଲି ଚର୍ଚ୍ଚା ହେଉଛି। ହାଇ କମାଣ୍ଡ ପାର୍ଟି ସଂଗଠନକୁ ଶିବରାଜଙ୍କୁ ଆଣି ତାଙ୍କ ଅଭିଜ୍ଞତା ଆଧାରରେ ସଂଗଠନକୁ ମଜବୁତ କରିବା ଏବଂ ଲୋକସଭା ନିର୍ବାଚନରେ ବ୍ୟବହାର କରିବାକୁ ଯୋଜନା କରିଥିବା କଳ୍ପନାଜଳ୍ପନା ଜାରି ରହିଛି।
ଶିବରାଜଙ୍କୁ ତାଙ୍କ ନୂତନ ଭୂମିକା ବିଷୟରେ ପଚରାଯିବାରୁ ସେ କହିଥିଲେ ଦଳର କର୍ମୀ ଭାବରେ ତାଙ୍କୁ ଯାହା ଦାୟିତ୍ୱ ଦିଆଯିବ ସେ ତାହା ପୂରଣ କରିବେ। ସେ ନିଜ ପାଇଁ କିଛି ମାଗିବା ପରିବର୍ତ୍ତେ ମରିବାକୁ ପସନ୍ଦ କରିବେ। ଇନ୍ଦୋର -୧ ବିଧାନସଭା ଆସନରୁ ନିର୍ବାଚିତ ଭାଜପାର କୈଲାଶ ବିଜୟଭର୍ଗିୟ ଏବେ କ’ଣ କରିବେ ତାହା ଊପରେ ପ୍ରଶ୍ନ ଜାରି ରହିଛି। ସେ ତାଙ୍କର ସାଂଗଠନିକ ଦକ୍ଷତାକୁ ଭଲ ଭାବରେ ପ୍ରମାଣ କରିଛନ୍ତି, ଏଭଳି ପରିସ୍ଥିତିରେ ଦଳରେ ତାଙ୍କ ପାଇଁ ଅନେକ ସମ୍ଭାବନା ରହିଛି। ନରସିଂହପୁରରୁ ବିଧାୟକ ହୋଇଥିବା ପ୍ରହଲାଦ ସିଂ ପଟେଲଙ୍କ ନୂତନ ଭୂମିକାରେ କ’ଣ ହେବ ତାହା ଏବେ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଓବିସି ବର୍ଗରୁ ପ୍ରହଲାଦ ଜଣେ ବଡ ଚେହେରା ଏବଂ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କ ନାମ ମଧ୍ୟ ଆଗରେ ଥିଲା, କିନ୍ତୁ ବର୍ତ୍ତମାନ  ଓବିସି ବର୍ଗରୁ ଆସିଥିବା ମୋହନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ କରାଯାଇଛି। ଜବଲପୁରରୁ ବିଧାୟକ ହୋଇଥିବା ରାକେଶ ସିଂ ମୋହନଙ୍କ ମନ୍ତ୍ରିମଣ୍ଡଳରେ ଯୋଗଦେବେ କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସବୁ ବରିଷ୍ଠ ନେତାଙ୍କ ଭବିଷ୍ୟତ କ’ଣ ହେବ ସେ ନେଇ ଚର୍ଚ୍ଚା ଜାରି ରହିଛି।

Share