ବଦଳିବନି ଏସବୁ ସୋସିଆଲ ମିଡିଆ

ନ୍ୟୁୟର୍କ,୨୯ା୧୦: ସୋସିଆଲ ମିଡିଆ ଜିଆଣ୍ଟ ଫେସ୍‌ବୁକ୍‌ର ନାଁ ପରିବର୍ତ୍ତନ କରାଯାଇ ‘ମେଟା’ ରଖାଯିବ ବୋଲି କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ଗୁରୁବାର ବାର୍ଷିକ କନେକ୍ଟ-୨୦୨୧ ବୈଠକରେ ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ର ନାଁ ବଦଳିବା ନେଇ କିଛି ଦିନ ହେଲା କମ୍ପାନୀ ଯୋଜନା କରିଥିବା ଖବର ସାମ୍ନାକୁ ଆସିଥିଲା। ଆଗାମୀ ୫ ବର୍ଷ ମଧ୍ୟରେ ଫେସ୍‌ବୁକ୍‌ ଏକ ମେଟାଭର୍ସ କମ୍ପାନୀ ହେବାକୁ ଯାଉଥିବା ଜୁକରବର୍ଗ କହିଥିଲେ। ‘ମେଟାଭର୍ସ’ ଯୋଜନାର ଏକ ଅଂଶଭାବେ ସେ କମ୍ପାନୀର ରିବ୍ରାଣ୍ଡିଂ କରି ଏପରି ନାଁ ରଖିଛନ୍ତି। କମ୍ପାନୀ ଏହାର ମାର୍କେଟ ପାଓ୍ବାର, ଆଲଗୋରିଦମିକ ଏବଂ ପ୍ଲାଟଫର୍ମରେ ଅପବ୍ୟବହାର ପଲିସିକୁ ନେଇ ସମାଲୋଚନାର ଶିକାର ହେଉଥିବାବେଳେ ଜୁକରବର୍ଗ ଏପରି ଘୋଷଣା କରିଛନ୍ତି।

ଫେସବୁକ୍‌ ଚଳିତ ବର୍ଷ ଏହାର ଭର୍ଚୁଆଲ ଓ୍ବାଲର୍‌ଡ ମେଟାଭର୍ସ ପାଇଁ ୧୦ ବିଲିୟନ ଡଲାର ବିନିଯୋଗ କରିବାକୁ ଯାଉଛି। ଭର୍ଚୁଆଲ ଏବଂ ଅଗମେଣ୍ଟେଡ୍‌ ରିଅଲିଟି ଭଳିି ଟେକ୍ନୋଲୋଜି ବ୍ୟବହାର କରି ଉପଭୋକ୍ତାମାନଙ୍କୁ ଏକ କାଳ୍ପନିକ ଦୁନିଆର ଅଭିଜ୍ଞତା ଦେବ।

ଅନ୍ୟପକ୍ଷରେ ଫେସ୍‌ବୁକ୍‌ ଏହାର ଟୁଇଟର ଆକାଉଣ୍ଟରେ ଏକ ଟୁଇଟ୍‌ କରି କହିଛି କି, ଆମେ ସୃଷ୍ଟି କରିଥିବା ଅନ୍ୟ ସୋସିଆଲ ମିଡିଆ ଅର୍ଥାତ୍‌ ଇନ୍‌ଷ୍ଟାଗ୍ରାମ, ମେସେଞ୍ଜର ଏବଂ ହ୍ବାଟ୍ସଆପ୍‌ର ନାଁ ବଦଳିବ ନାହିଁ। ଏହି ନୂତନ ବ୍ରାଣ୍ଡ ଅଧୀନରେ ବିଭିନ୍ନ ଆପ୍‌ ଏବଂ ଟେକ୍ନୋଲୋଜି ଅଣାଯିବ। ତଥାପି କମ୍ପାନୀ ଏହାର କର୍ପୋରେଟ୍‌ ଗଠନକୁ ପରିବର୍ତ୍ତନ କରିବ ନାହିଁ।

Share