ବାୟୋ ଟଏଲେଟ୍‌ଯୁକ୍ତ ହେଲା ସମସ୍ତ ଟ୍ରେନ୍‌

ଭୁବନେଶ୍ୱର,୩୦।୭(ବ୍ୟୁରୋ): ପରିବେଶ ସ୍ବଚ୍ଛତା ଦିଗରେ ପୂର୍ବତଟ ରେଳପଥ ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ନିଜ ଅଧୀନରେ ଥିବା ସମସ୍ତ ଟ୍ରେନ୍‌କୁ ବାୟୋ ଟଏଲେଟ୍‌ଯୁକ୍ତ କରିଛି। ପୂର୍ବତଟ ରେଳପଥରେ ମୋଟ ୩୨୪୭ଟି କୋଚ୍‌ରେ ବର୍ତ୍ତମାନ ପରିବେଶ ଅନୁକୂଳ ବାୟୋଟଏଲେଟ୍‌ଗୁଡ଼ିକ ସଂଯୋଗ କରାଯାଇଛି। ଏଥିମଧ୍ୟରୁ ୨୫୩୪ ଆଇସିଏଫ୍‌ କୋଚ୍‌ ଓ ୭୧୩ଟି ଏଲ୍‌ଏଚ୍‌ବି କୋଚ୍‌ ରହିଛି। ଏହି ବାୟୋଟଏଲେଟ୍‌ଗୁଡ଼ିକ ବ୍ୟାକ୍ଟେରିଆ ସହାୟତାରେ ମାନବ ପରିଶିଷ୍ଟକୁ ଜଳ ଓ ବାୟୋ ଗ୍ୟାସ୍‌ରେ ପରିଣତ କରିବ। ବାୟୋ ଟଏଲେଟ୍‌ର ଏହି ପ୍ରକ୍ରିୟା ରହିଯାଉଥିବା କଠିନ ଅପଶିଷ୍ଟର ପରିଚାଳନାରେ ସହାୟକ ହେବ। ଏହି ବାୟୋଟଏଲେଟ୍‌ଗୁଡ଼ିକ ଟ୍ରାକ୍‌କୁ କଳଙ୍କି ଲାଗିବାରୁ ମଧ୍ୟ ରକ୍ଷାକରିବ। ଏଥିସହ ରେଳପଥର ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ କରିବା ସହ ଟ୍ରେନ୍‌ ପରିଚାଳନାରେ ନିରାପତ୍ତା ସୁଦୃଢ଼ କରିବ। ଭେଞ୍ଚୁରି ପଦ୍ଧତିରେ ନିର୍ମିତ ଏହି ଟଏଲେଟ୍‌ଗୁଡ଼ିକ ସମ୍ପୂର୍ଣ୍ଣଭାବେ ଦୂଷିତ ଗନ୍ଧମୁକ୍ତ ହେବ। ବାୟୋଟଏଲେଟ୍‌ଗୁଡ଼ିକର ଉପଯୁକ୍ତ ବ୍ୟବହାର ବିଷୟରେ ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ ସଚିତ୍ର ଗାଇଡ୍‌ ପ୍ରଦର୍ଶିତ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Share