ଭୁବନେଶ୍ୱର, ୧୭।୨(ବ୍ୟୁରୋ): ସମସ୍ତ ଭିଜିଲାନ୍ସ କର୍ମଚାରୀ ଓ ସେମାନଙ୍କ ସହିତ ରହୁଥିବା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଅନୁରୋଧକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏ ନେଇ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଆର୍ଜିଏଚ୍ ନିର୍ଦ୍ଦେଶକ, ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ପବ୍ଲିକ ହେଲ୍ଥ ଅଫିସର ତଥା ଜିଲା ମିଶନ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ଭିଜିଲାନ୍ସ କର୍ମଚାରୀ ଏବଂ ସେମାନଙ୍କ ସହିତ ରହୁଥିବା ୩୫ବର୍ଷରୁ ଅଧିକ ବୟସ୍କ ସଦସ୍ୟଙ୍କ ଅତ୍ୟାବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ରକ୍ତ, ପରିସ୍ରା, କର୍କଟ ପରୀକ୍ଷା, ଇସିଜି ଆଦି ପରୀକ୍ଷା ହେବ। ଯେଉଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏ ସମସ୍ତ ସୁବିଧା ଉପଲବ୍ଧ ଥିବ ସେଠାରେ କରିବା ପାଇଁ କୁହାଯାଇଛି। ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ଏହି ସ୍ବାସ୍ଥ୍ୟ ପରୀକ୍ଷା ଅଭିଯାନ ଶେଷ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।