Categories: ଖେଳ

ସବୁ କୁସ୍ତିଯୋଦ୍ଧା ଟ୍ରାଏଲ୍ସ ଦେବେ

ନୂଆଦିଲ୍ଲୀ, ୧୫ା୮: ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଲାଗି ଟ୍ରାଏଲ୍ସ ଅଗଷ୍ଟ ୨୫-୨୬ରେ ହେବ ବୋଲି ଆଡହକ୍‌ ପ୍ୟାନେଲ ସୋମବାର ଘୋଷଣା କରିଛି। ଫଳରେ ଚୟନ ପ୍ରତିଯୋଗିତା ହେବା ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି। ଏସିଆନ ଗେମ୍ସ ଟ୍ରାଏଲ୍ସରୁ ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତଙ୍କୁ ବାଦ୍‌ ଦିଆଯିବାକୁ ନେଇ କୁସ୍ତି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ବିଶ୍ୱ ଚାମ୍ପିୟନଶିପ୍‌ ଟ୍ରାଏଲ୍ସ ପାଇଁ ପାଇଁ ଆଡହକ୍‌ ପ୍ୟାନେଲ କୌଣସି କୁସ୍ତିଯୋଦ୍ଧାଙ୍କୁ ଛାଡ଼ କରି ନାହିଁ। ଇଭେଣ୍ଟ ପାଇଁ ଆଥ୍‌ଲେଟ ମନୋନୟନ ପାଇଁ ଆଡହକ୍‌ ପ୍ୟାନେଲ ଏକ ମାନଦଣ୍ଡ ପ୍ରସ୍ତୁତ କରିଛି। ତଦନୁସାରେ ସମସ୍ତ ଅନ୍ତର୍ଜାତୀୟ/ ର଼୍ୟାଙ୍କିଙ୍ଗ/ ଏସିଆନ/ ବିଶ୍ୱ ଚାମ୍ପିୟନଶିପ୍‌/ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ୨୦୨୨ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣକାରୀ ଟ୍ରାଏଲ୍ସରେ ଭାଗନେଇପାରିବେ। ତେବେ ବଜରଙ୍ଗ ଓ ଭିନେଶ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଟ୍ରାଏଲ୍ସରେ ଅଂଶଗ୍ରହଣ କରିବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ ନ ଥିବା କୁହାଯାଉଛି। ଦୁହିଁଙ୍କ ନଜର ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବାକୁଥିବା ହାଙ୍ଗଝୋ ଏସିଆନ ଗେମ୍ସ ଉପରେ ରହିଛି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ବିଶ୍ୱ ଚାମ୍ପିୟନଶିପ୍‌କୁ ପ୍ରଥମ କ୍ୱାଲିଫାଇଂ ଇଭେଣ୍ଟ ଭାବେ ବିବେଚନା କରାଯାଉଛି। ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସ୍‌ଲିଂ ଆଥ୍‌ଲେଟଙ୍କ ନାମ ତାଲିକା ପଠାଇବା ଶେଷ ତାରିଖ ଅଗଷ୍ଟ ୧୬ ଧାର୍ଯ୍ୟ କରିଥିଲା। ମାତ୍ର ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନକୁ ନେଇ ଅନିଶ୍ଚିତା ରହିବାରୁ ଖେଳାଳି ତାଲିକା ପଠାଇବା ସମୟସୀମା ବଢ଼ାଇବା ଲାଗି ଭାରତର ଅନୁରୋଧକୁ ଗ୍ରହଣ କରାଯାଇଛି। ଆଡହକ୍‌ ପ୍ୟାନେଲ ମୁଖ୍ୟ ଭୂପିନ୍ଦର ସିଂ ବାଜଓ୍ବା କହିଛନ୍ତି, ବିଶ୍ୱ ଚାମ୍ପିୟନଶିପ୍‌ ଅଲିମ୍ପିକ ପାଇଁ ଏକ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହୋଇଥିବାରୁ ଆମେ ଖେଳାଳି ତାଲିକା ପଠାଇବାରେ ଆଉ ବିଳମ୍ବ କଲେ ତାହା ଗ୍ରହଣ କରା ନ ଯିବା ଆଶଙ୍କା ରହିଛି। ପ୍ରଥମାବସ୍ଥାରେ ଅଗଷ୍ଟ ୧୦ରେ ଟ୍ରାଏଲ୍ସ କରିବା ଲାଗି ଆଡହକ୍‌ ପ୍ୟାନେଲ ନିଷ୍ପତ୍ତି ନେଇଥିଲା।

Share