Categories: ଖେଳ

ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଛନ୍ତି ଗୋପାଳଗଞ୍ଜର ଏହି ଧୂରନ୍ଧର, ଜାଣନ୍ତୁ ମୁକେଶ କୁମାର କିଏ…

ପୋର୍ଟ ଅଫ୍‌ ସ୍ପେନ୍‌,୨୧।୭: ଟିମ୍‌ ଇଣ୍ଡିଆ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଗୁରୁବାରଠାରୁ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ଦ୍ରୁତ ବୋଲର ମୁକେଶ କୁମାର। ସିରିଜ ଆରମ୍ଭ ପୂର୍ବରୁ ବିସିସିଆଇ ୨ ଯୁବ ଖେଳାଳି ଯଶସ୍ବୀ ଜୈସଓ୍ବାଲ(୨୧) ଏବଂ ଈଶାନ କିଶନ(୨୪)ଙ୍କୁ ଡେବ୍ୟୁ ସୁଯୋଗ ଦେଇଥିଲା। ଏବେ ମୁକେଶ ତୃତୀୟ ଖେଳାଳି ଭାବେ ଏହି ସିରିଜରେ ସୁଯୋଗ ପାଇଛନ୍ତି।
ମୁକେଶ କୁମାର କିଏ?
ବିହାରର ଗୋପାଳଗଞ୍ଜରେ ୧୯୯୩ ଅକ୍ଟୋବର ୧୨ରେ ଜନ୍ମିତ ମୁକେଶ କୁମାର ଡାହାଣ ହାତି ଦ୍ରୁତ ବୋଲର। ୨୯ ବର୍ଷ ବୟସରେ ତାଙ୍କୁ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭର ସୁଯୋଗ ମିଳିଛି। ୨୦୧୨ରେ ବାପାଙ୍କ ବ୍ୟବସାୟକୁ ଦେଖି ସେ କୋଲକାତା ଚାଲିଯାଇଥିଲେ। ଏହାପରେ ସେ ପଶ୍ଚିମବଙ୍ଗ କ୍ରିକେଟରେ ନିଜର ପରାକାଷ୍ଠା ଦେଖାଇଥିଲେ। କଠିନ ପରିଶ୍ରମ ଯୋଗୁ ସେ ୨୦୧୫-୧୬ରେ ରଣଜୀ ଟ୍ରଫିରୁ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ। ଏଯାବତ ସେ ୩୩ ଫାଷ୍ଟ କ୍ଲାସ କ୍ରିକେଟ ଖେଳି ୧୨୩ ଉଇକେଟ ନେଇଛନ୍ତି। ସେହିଭଳି ଲିଷ୍ଟ-ଏ କ୍ରିକେଟରେ ସେ ୨୬ ଉଇକେଟ ନେଇଛନ୍ତି।
ଗତ ବର୍ଷ ମୁକେଶଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଲାଗି ଦଳରେ ସ୍ଥାନ ମିଳିଥିଲା। ହେଲେ ଖେଳିବାର ସୁଯୋଗ ମିଳି ନ ଥିଲା। ପରେ ଡିସେମ୍ବର ୨୦୨୨ରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ସାମିଲ କରାଯାଇଥିଲେ ହେଁ ପୁଣି ସୁଯୋଗ ମିଳି ନ ଥିଲା। ଏବେ ତାଙ୍କୁ ୩ ଫର୍ମାଟର ସିରିଜ ଲାଗି ଦଳରେ ସାମିଲ କରାଯାଇଛି।
Share