Categories: ଜାତୀୟ

‘ଆଦିପୁରୁଷ’ର ନିର୍ଦ୍ଦେଶକ, ନିର୍ମାତା, ସଂଳାପ ଲେଖକଙ୍କୁ ସମନ ଜାରି କଲେ ଆହ୍ଲାବାଦ ହାଇକୋର୍ଟ

ଲକ୍ଷୌ,୧।୭: ଆହ୍ଲାବାଦ ହାଇକୋର୍ଟର ଲକ୍ଷୌ ବେଞ୍ଚ ବିବାଦୀୟ ଫିଲ୍ମ ‘ଆଦିପୁରୁଷ’ରନିର୍ଦ୍ଦେଶକ ଓମ ରାଉତ, ନିର୍ମାତା ଭୂଷଣ କୁମାର, ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କୁ ସମନ ଜାରି କରିଛନ୍ତି। ଜୁଲାଇ ୨୭ରେ କୋର୍ଟରେ ହାଜର ହେବା ଏବଂ ଫିଲ୍ମ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିବାକୁ କୋର୍ଟ ନୋଟିସ ଦେଇଛନ୍ତି। ଜଷ୍ଟିସ ରାଜେଶ ସିଂ ଚୌହାନ ଏବଂ ଜଷ୍ଟିସ ପ୍ରକାଶ ସିଂଙ୍କ ଏକ ଅବକାଶକାଳୀନ ବେଞ୍ଚ କୁଳଦୀପ ତିୱାରୀ ଏବଂ ନବୀନ ଧାୱନଙ୍କ ଅଲଗା-ଅଲଗା ଆବେଦନ ଉପରେ ଶୁଣାଣି କରିଥିଲେ।

ଜୁଲାଇ ୨୭ରେ ନିର୍ଦ୍ଦେଶକ ଓମ ରାଉତ, ନିର୍ମାତା ଭୂଷଣ କୁମାର, ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଏକ ୫ ଜଣିଆ କମିଟି ଗଠନ କରି ଫିଲ୍ମ ସମ୍ବନ୍ଧୀୟ ଅଭିଯୋଗଗୁଡିକୁ ଦେଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତ। ଏକ ସପ୍ତାହ ମଧ୍ୟରେ କମିଟି ଗଠନ କରିବାକୁ ଏବଂ ୧୫ ଦିନ ମଧ୍ୟରେ କମିଟିକୁ ରିପୋର୍ଟ ପ୍ରସ୍ତୁତ କରିବାକୁ କୋର୍ଟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ରେ ହେବ।

 

Share