ମହିଳାଙ୍କୁ ଜାଳି ହତ୍ୟା ଉଦ୍ୟମ ଅଭିଯୋଗ

ପଦ୍ମପୁର,୨୯। ୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ଗିରିଧାରୀ ସାହିରେ ଶୁକ୍ରବାର ଜଣେ ମହିଳାଙ୍କୁ ଘରୁ ଅଧା ପୋଡ଼ିଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ହେଲେ ସାହିର ରାମଚନ୍ଦ୍ର ପାଢ଼ୀଙ୍କ ସ୍ତ୍ରୀ ରଶ୍ମିତା। ପାରିବାରିକ ଅଶାନ୍ତିରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ଶାଶୁଘର ଲୋକେ କହୁଥିବାବେଳେ ବାପା ରାମେଶ୍ୱର ପାଣିଗ୍ରାହୀ ଏବଂ ଖୋଦ୍‌ ରଶ୍ମିତା ହତ୍ୟା ଉଦ୍ୟମ ବୋଲି ଅଭିଯୋଗ କରିଛନ୍ତି। ସ୍ବାମୀ ରାମଚନ୍ଦ୍ର ଏବଂ ଦେଢ଼ଶୁର ଗିରିଧାରୀ କିରୋସିନି ଢାଳି ହତ୍ୟା ଉଦ୍ୟମ କରିଥିବା ରଶ୍ମିତା କହିଛନ୍ତି।
ସୂଚନାଯୋଗ୍ୟ, ରାମଚନ୍ଦ୍ର ୫ ବର୍ଷ ତଳେ ଗୁଣପୁରର ରାମେଶ୍ବର ପାଣିଗ୍ରାହୀଙ୍କ ଝିଅ ରଶ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ କୌଣସି କାରଣକୁ ନେଇ ଝଗଡ଼ା ଲାଗି ରହିଥିଲା। ଶୁକ୍ରବାର ରଶ୍ମିତାଙ୍କ ବାପା ଓ ମା’ ପଦ୍ମପୁର ସ୍ଥିତ ଝିଅର ଶାଶୁଘରେ ଉପସ୍ଥିତ ଥିବାବେଳେ କୋଣସି ଅଶାନ୍ତିକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଘରେ ପାଣିତୁଣ୍ଡ ଶୁଣି ସାହି ବାସିନ୍ଦା ଗୋରାଚାନ୍ଦ ପାଣିଗ୍ରାହୀ ପହଞ୍ଚି ଅନ୍ୟମାନଙ୍କ ସହଯୋଗରେ ରଶ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପଦ୍ମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ପ୍ରକାଶ କରିଛନ୍ତି। ଡାକ୍ତର ରୁତୁପୂର୍ଣ୍ଣା ପଟ୍ଟନାୟକ ରଶ୍ମିତାଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ଶରୀରର ୬୫ ଭାଗ ପୋଡ଼ି ଯାଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି। ଅନ୍ୟପକ୍ଷରେ ପଦ୍ମପୁର ଥାନା ଅଧିକାରୀ ରାଜେଶ ବଳିୟାରସିଂ, ଗୁଣପୁର ଏସ୍‌ଡିପିଓ ବିକାଶ ରଞ୍ଜନ ଦେହୁରୀ ରାୟଗଡ଼ାରୁ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୁରୁତର ମହିଳା ଏବଂ ତାଙ୍କ ବାପାଙ୍କ ବୟାନକୁ ଆଧାର କରି ତଦନ୍ତ ଚାଲିଥିବାବେଳେ ସାଇଣ୍ଟିଫିକ୍‌ ଟିମ୍‌ର ରିପୋର୍ଟକୁ ଅପେକ୍ଷା ବୋଲି ଏସ୍‌ଡିପିଓ ଦେହୁରୀ ପ୍ରକାଶ କରିଛନ୍ତି।