ମୃତଦେହ ଛାଡ଼ିବା ପାଇଁ ଲାଞ୍ଚ ଅଭିଯୋଗ

ବ୍ରହ୍ମପୁର,୨ା୯ (ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ରୋଗୀସେବା ପାଇଁ ବିଭିନ୍ନ ସମୟରେ ଲାଞ୍ଚ ମଗାଯାଉଥିବା ଅଭିଯୋଗ ଆସୁଛି। ଏବେ ମୃତଦେହ ଛାଡ଼ିବା ପାଇଁ ମଧ୍ୟ ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିବା ଅଭିଯୋଗ ଆସିଛି। ଏଭଳି ଅଭିଯୋଗ ଆସିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ଆସିକାରୋଡ଼ ଶ୍ରୀରାମନଗର ନିକଟସ୍ଥ ଗଙ୍ଗାଧରନଗର ନିବାସୀ ପର୍ଶୁରାମ ସାହୁ ଅସୁସ୍ଥ ହେବାରୁ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ଝାଡ଼ାବାନ୍ତି ଲାଗି ରହି ରକ୍ତଚାପ କମିଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଇସିୟୁରୁ ମୃତଦେହ ବାହାର କରିବା ପାଇଁ ଜଣେ କର୍ମଚାରୀ ୫ଶହ ଟଙ୍କା ମାଗିବାରୁ ପୁଅ ପର୍ଶୁରାମଙ୍କ ପୁଅ ମହେନ୍ଦ୍ର ସାହୁ ବାଧ୍ୟ ହୋଇ ତାହା ଦେଇଥିଲେ। ଏହାପରେ ପୁଣି ଜଣେ ଆଟେଣ୍ଡାଣ୍ଟ୍‌ ସେଠାକୁ ଆସି ୫ଶହ ଟଙ୍କା ମାଗିଥିଲେ ବୋଲି ସମ୍ପର୍କୀୟ ବସନ୍ତ ସାହୁ ଅଭିଯୋଗ କରିଛନ୍ତି। ୫ଶହ ଟଙ୍କାକୁ ନେଇ ୨ ଜଣ ଆଟେଣ୍ଡାଣ୍ଟ୍‌ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେମାନେ ମୃତଦେହ ନ ଛାଡ଼ିବାରୁ ବାଧ୍ୟ ହୋଇ ପରିବାରବର୍ଗ ପୋଲିସକୁ ଖବର କରିଥିଲେ। ପୋଲିସ ସେଠାରେ ପହଞ୍ଚିଥିଲା। ତଥାପି ସେମାନେ ମୃତଦେହ ଛାଡ଼ି ନ ଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ବିଳମ୍ବିତ ରାତିରେ ଶେଷରେ ମୃତକଙ୍କ ଅନ୍ୟ ସମ୍ପର୍କୀୟ ମାନେ ସେଠାରେ ପହଞ୍ଚି ମୃତଦେହ ନେଇଥିଲେ। ଏମକେସିଜି ରେଜିଷ୍ଟାର ସଂଗ୍ରାମ ପଣ୍ଡା କହିଛନ୍ତି ଗୁରୁବାର ରାତ୍ରର ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆମେ ଜାଣିବାକୁ ପାଇଲୁ। ଶୁକ୍ରବାର ସମ୍ପୃକ୍ତ କର୍ମଚାରୀଙ୍କୁ ଡ଼ାକି ପଚରାଉଚରା କରିବା ସହ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ସେ କହିଛନ୍ତି।

Share