ଝାରସୁଗୁଡ଼ା ଡିଏଚ୍‌ଏଚ୍‌ରେ ଶିଶୁ ବଦଳ ଅଭିଯୋଗ

ସମ୍ବଲପୁର,୨୦ା୮(ଶୁଭାଶିଷ ପାଢ଼ୀ)ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନା (ଡିଏଚ୍‌ଏଚ୍‌)ରେ ଶନିବାର ଏକ ନବଜାତ ଶିଶୁ ବଦଳ ନେଇ ଅଭିଯୋଗ ହୋଇଛି। ବ୍ରଜରାଜନଗର ରାମପୁରର ଦମ୍ପତି ରାଜକୁମାର ଗିରି ଓ ସ୍ତ୍ରୀ ଦୀପାଞ୍ଜଳିଙ୍କ ଅଭିଯୋଗକ୍ରମେ ପିଲା ଜନ୍ମହେବା ସମୟରେ ପୁଅ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ହେଲେ ଘଣ୍ଟାକ ପରେ ମେଡିକାଲ ଷ୍ଟାଫ୍‌ ଗ୍ରହଣ ଖଣ୍ଡିଆ ଏକ ଶିଶୁ କନ୍ୟାକୁ ଆଣି ଦେଇଥିଲେ। ଆମ ପୁଅକୁ ନ ଦେବା ପର୍ଯ୍ୟନ୍ତ ମେଡିକାଲ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ଡିଏନ୍‌ଏ ପରୀକ୍ଷା କରାଯାଇ ସତ୍ୟାସତ୍ୟ ସାମ୍‌ନାକୁ ଅଣାଯାଉ ବୋଲି ସେମାନେ ଦାବି କରିଥିଲେ। ଅନ୍ୟପକ୍ଷେ ସିଡିଏମ୍‌ଓ ଡୋଲାମଣି ପଟେଲ କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଉଛି। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ।
ସୂଚନା ଅନୁସାରେ, ରାଜକୁମାର ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ତାଙ୍କ ସ୍ତ୍ରୀ ଦୀପାଞ୍ଜଳିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିଛି ସମୟ ପରେ ପ୍ରସବ ପାଇଁ ଦୀପାଞ୍ଜଳିଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଅପରାହ୍ନ ପ୍ରାୟ ୪ଟା ସମୟରେ ସେ ଶୌଚଯିବା ପାଇଁ ସ୍ତ୍ରୀ ଓ ପ୍ରସୂତି ବିଭାଗର ପାଇଖାନାକୁ ଯାଇଥିଲେ। ଶୌଚଯାଇ ଫେରିବା ସମୟରେ ପାଇଖାନା ସମ୍ମୁଖରେ ପିଲା ଜନ୍ମ ଦେଇଥିଲେ। ରାଜକୁମାରଙ୍କଠାରୁ ଖବର ପାଇ ନର୍ସ ଓ ଅନ୍ୟମାନେ ପହଞ୍ଚତ୍ଥିଲେ। ସେମାନେ ନବଜାତକଙ୍କୁ ଉଠାଇନେବା ସହ ଦୀପାଞ୍ଜଳିଙ୍କୁ ସଫାସୁତୁରା କରି ବେଡ୍‌କୁ ନେଇଥିଲେ। ହେଲେ ପ୍ରାୟ ଘଣ୍ଟାକ ପରେ ନର୍ସମାନେ ଏକ ନବଜାତ ଶିଶୁକନ୍ୟାକୁ ଧରି ୱାର୍ଡକୁ ଆସିିଥିଲେ। ଏହାକୁ ନେଇ ରାଜକୁମାର ସନ୍ଦେହ କରିଥିଲେ। ସେ ସିଡିଏମ୍‌ଓଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ, ଜନ୍ମହେବା ସମୟରେ ନର୍ସମାନେ ପୁଅ ହୋଇଥିବା ସୂଚନା ଦେଇଥିଲେ। ହେଲେ ପରେ ଗ୍ରହଣ ଖଣ୍ଡିଆ ଏକ ଶିଶୁକନ୍ୟାକୁ ଆଣି ଏହା ତୁମର ବୋଲି କହୁଛନ୍ତି। ଆମର ପୁଅ ହୋଇଥିଲା। ସେମାନେ ପୁଅକୁ ବଦଳକରି ଶିଶୁକନ୍ୟାକୁ ଆଣିଦେଇଛନ୍ତି। ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଥିଲେ। ଅନ୍ୟପଟେ ମେଡିକାଲରେ ଲାଗିଥିବା ସିିସିଟିଭି ଯାଞ୍ଚ ସହ ଶୁକ୍ରବାରଠାରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି ସେମାନଙ୍କର ଡିଏନ୍‌ଏ ପରୀକ୍ଷା କରାଗଲେ ସତ୍ୟାସତ୍ୟ ସାମ୍‌ନାକୁ ଆସିବ ଓ ଅଭିଯୋଗକାରୀ ଦମ୍ପତିଙ୍କୁ ନ୍ୟାୟ ମିଳିବ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ ଏହି ଦମ୍ପତିଙ୍କ ପୂର୍ବରୁ ଦୁଇଟି ଝିଅ ଅଛନ୍ତି। ପୁଅ ପାଇବା ଆଶାରେ ସେମାନେ ଆଉ ଏକ ସୁଯୋଗ ନେଇଥିଲେ ା

Share