ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

କୋକସରା,୧୩।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ସହ ଅନୁବନ୍ଧିତ ବ୍ଲକର ଡାଲଗୁମାଠାରେ ଥିବା ସିଏସପି ଶାଖାରେ ବୃଦ୍ଧା ସତିଦେଈ ଚନ୍ଦନ (୮୦) ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ଖୋଲିଥିବା ଜମାଖାତାରୁ ୮ ହଜାର ୫ ଶହ ଟଙ୍କା ସିଏସପି କର୍ମଚାରୀ ଚଞ୍ଚକତା କରି ହଡପ ହୋଇଛି। ଏ ନେଇ ଅଭିଯୋଗ ପାଇଁ ଗୁରୁବାର ବୃଦ୍ଧାଙ୍କୁ ସମ୍ପର୍କୀୟମାନେ ଟାଣ ଖରାରେ କୋକସରା ବ୍ୟାଙ୍କକୁ ବୋହି ଆଣୁଥିବା ଦେଖିବାକୁ ମିଳିଛି।

ଘଟଣା ସମ୍ପର୍କରେ ପଚାରି ବୁଝିବାରୁ ବୃଦ୍ଧାଙ୍କ ନିଜ ଗ୍ରାମ ମୁଷାପାଲି ହୋଇଥିବା ବେଳେ ନିକଟସ୍ଥ ଡାଲଗୁମାଠାରେ ଥିବା ସିଏସପି ଶାଖାରେ ଜମାଖାତା ଖୋଲିଥିଲେ। ନିଜର କେହି ନ ଥିବା ଓ ବାର୍ଦ୍ଧକ୍ୟରୁ ବୃଦ୍ଧା ନିଜ ଝିଅ ଘର ଧର୍ମଗଡ଼ ବ୍ଲକ କାଶିବାହଲ ଗ୍ରାମରେ ରହୁଥିଲେ। ପ୍ରତି ୫/୬ ମାସରେ ବାର୍ଦ୍ଧକ୍ୟ ଭତ୍ତା ଉଠାଇବାକୁ ସେ ସିଏସପି ଶାଖାକୁ ଆସୁଥିଲେ। ତେବେ ଗୁରୁବାର ଟଙ୍କା ଉଠାଇବାକୁ ଆସି ଜମାଖାତାରେ ଟଙ୍କା ନ ଥବା ଜାଣିବାକୁ ପାଇ ଶାଖା ପରିଚାଳକ ଚିନ୍ତାମଣି ଚଣ୍ଡିଙ୍କୁ ଅଭିଯୋଗ କରିଥିଲେ। ଖାତାକୁ ଟଙ୍କା ଆସିନାହିଁ ବୋଲି କହିବା ପରେ ବୃଦ୍ଧାଙ୍କ ସହ ଆସିଥିବା ଝିଅ ଠକେଇ ହୋଇଥିବା ଜାଣିପାରି କୋକସରା ଷ୍ଟେଟ ବ୍ୟାଙ୍କକୁ ବୃଦ୍ଧା ମା’ଙ୍କୁ ନେଇ ଆସିଥିଲେ। ବୃଦ୍ଧାଙ୍କ ଅଭିଯୋଗ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋକସରା ବ୍ୟାଙ୍କ ଶାଖା ପରିଚାଳକ ମନୋଜ ଜେନା ସୂଚନା ଦେଇଛନ୍ତି। ବୃଦ୍ଧାଙ୍କ ଅଭିଯୋଗ ପରେ ସିଏସପି କର୍ମଚାରୀ ବୃଦ୍ଧାଙ୍କ ଜମାଖାତାରେ ହଡପ କରିଥିବା ୮ ହଜାର ୫ ଶହ ଟଙ୍କା ଜମା କରିଥିବା ଜଣାପଡ଼ିଛି।