
କେସିଙ୍ଗା,୨୨ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାଲ ମାଲ ପଞ୍ଚାୟତ ଅଧୀନସ୍ଥ ବୋରିଂପଦର ଗ୍ରାମସ୍ଥିତ ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀ ବୋରିଂପଦର ଗ୍ରାମର ପୂର୍ବତନ ସଭାପତି ରେବତୀ ମାଝୀ ଓ ପୂର୍ବତନ ସମ୍ପାଦିକା ତେଜସ୍ବିନୀ ମାଝୀଙ୍କ ମିଳିତ ଉଦ୍ୟମରେ ଗ୍ରୁପରେ ଜମା ଥିବା ଖାତାରୁ ୬ ଲକ୍ଷ ୮୨ହାଜର ଟଙ୍କା ଉକ୍ତ ଗ୍ରୁପର କୌଣସି ସଦସଙ୍କୁ ନ ଜଣାଇ ମିଥ୍ୟା ଦସ୍ତଖତ କରି ପାଷ୍ଟିକୁଡି ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଉଠାଇ ଆତ୍ମସାତ୍ କରିଛନ୍ତି। ଏହାକୁ ନେଇ ଗ୍ରୁପ୍ର ସଦସ୍ୟାମାନେ ଗତ ଜାନୁଆରୀ ୧୧ରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସଦର ଥାନା ଆଜିଯାଏ କେସ ରେଜିଷ୍ଟ୍ରେଶନ କରି ନ ଥିବାରୁ ଆତ୍ମସାତ କରିଥିବା ଦୁଇ ଜଣଙ୍କୁ ଗିରଫ ଦାବିରେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ମହିଳା ଗ୍ରୁପର ସଦସ୍ୟାମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉ କି, ଆରକ୍ଷୀ ଅଧୀକ୍ଷକଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ଜିଲାପାଳ ମଧ୍ୟ ଚିଠି କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ଉକ୍ତ ମହିଳା ଗ୍ରୁପର ବର୍ତ୍ତମାନ ସଭାପତି, ସମ୍ପାଦିକାଙ୍କ ସମେତ ସଦସ୍ୟାମାନେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି।