Categories: ଜାତୀୟ

କେରଳ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ…

ଥିରୁଭାନନ୍ତପୁରମ୍‌,୨୫।୭ : ମଙ୍ଗଳବାର ଭାଜପା ଓ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କେରଳ ବିଧାନସଭା ବାଚସ୍ପତି ଏଏନ ଶାମସିରଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତିି। ସେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଗତ ସପ୍ତାହରେ ରାଜ୍ୟର ଏର୍ନାକୁଲମ ଜିଲାର ଏକ ସରକାରୀ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ‘ବିଦ୍ୟା ଜ୍ୟୋତି’ କାର୍ଯ୍ୟକ୍ରମରେ ବାଚସ୍ପତି ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଭାଜପା ଓ ଭିଏଚପି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ ଶାମସିର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ସଫଳତା ପରିବର୍ତ୍ତେ ପିଲାମାନଙ୍କୁ ହିନ୍ଦୁ ପୁରାଣ ଶିଖାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଥିଲେ। ଏଥି ସହିତ ବିଧାନସଭା ବାଚସ୍ପତି ଭଗବାନ ଗଣେଶ ଏବଂ ପୁଷ୍ପକ ବିମାନ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ଦଳର କେରଳ ୟୁନିଟ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଭାଜପାର ରାଜ୍ୟ କମିଟିର ଜଣେ ସଦସ୍ୟ ଥିରୁଭାନନ୍ତପୁରମ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରି ବିଧାନସଭା ବାଚସ୍ପତିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁଁଛନ୍ତି। ଏଥିସହ ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗରେ ନୀରବ ରହିଥିବା ଅଭିଯୋଗ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବାକୁ ଦାବି କରିଛନ୍ତି। ଭାଜପା ଏହାର ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯଦି କଂଗ୍ରେସ ଚୁପ ରହେ ତେବେ ଏହା ଜଣାପଡିବ ଦେଶର ସର୍ବ ପୁରାତନ ଦଳ ବିଧାନସଭା ବାଚସ୍ପତିଙ୍କ ଭେଦଭାବପୂର୍ଣ୍ଣ ମତକୁ ସମର୍ଥନ କରୁଛି।

ଭାଜପାର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ଦାୟିତ୍ୱରେ ଥିବା ଅମିତ ମାଲବ୍ୟ ଅଭିଯୋଗ କରିଛନ୍ତି ବିଧାନସଭା ବାଚସ୍ପତି ହିନ୍ଦୁ ବିଶ୍ୱାସ ଏବଂ ଭାବନାକୁ ବଦନାମ କରିବା ପାଇଁ ତାଙ୍କ ପଦର ଅପବ୍ୟବହାର କରୁଛନ୍ତି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦଳକୁ ଏଭଳି ଦୃଷ୍ଟିକୋଣରୁ ଅଲଗା କରିବେ କିମ୍ବା ତାଙ୍କ ନିରବତା ଦ୍ୱାରା ସମର୍ଥନ କରିବେ କି ବୋଲି ପ୍ରଶ୍ନ କରିଛନ୍ତି।

Share