ମୋରଡ଼ା,୩୦ା୫ (ଡି.ଏନ.ଏ.): ଗାଁ କଲ୍ୟାଣ ସମିତି ପାଣ୍ଠିକୁ ଆସୁଥିବା ଟଙ୍କାକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବରକନ୍ଦ ପଞ୍ଚାୟତ ଅନ୍ତର୍ଗତ ରେକଣା ଗ୍ରାମବାସୀ ସ୍ଥାନୀୟ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ରେକଣା ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ଗଁା କଲ୍ୟାଣ ସମିତି ପାଣ୍ଠିକୁ ବିଭିନ୍ନ ଯୋଜନା ପାଇଁ ସରକାରଙ୍କ ତରଫରୁ ଟଙ୍କା ଆସିଛି। ଅପପୁଷ୍ଟି ଦୂରୀକରଣ, କିଶୋର ବାଳିକା ବାଳକମାନଙ୍କର ସ୍ବାସ୍ଥ୍ୟର ଯତ୍ନ, ଗ୍ରାମରେ ସ୍ବଚ୍ଛତାର ବାର୍ତ୍ତା ଦେବା ଭଳି ବିଭିନ୍ନ ଯୋଜନା ପାଇଁ ଟଙ୍କା ଆସିଛି। ଏଥିପାଇଁ ଏକ ତଦାରଖ କମିଟି ମଧ୍ୟ ଗଠନ ହୋଇଛି। କିନ୍ତୁ ଅଙ୍ଗନଓ୍ବାଡି କର୍ମୀ ତଦାରଖ କମିଟିରେ କୌଣସି ଗ୍ରାମବାସୀଙ୍କୁ ସାମିଲ କରାଇ ନାହାନ୍ତି। ଅଙ୍ଗନଓ୍ବାଡି କର୍ମୀ ଉକ୍ତ ଟଙ୍କା ହଡ଼ପ କରିଛନ୍ତି ବୋଲି ଗ୍ରାମର ବିରଞ୍ଚତ୍ ଡାଙ୍ଗୁଆ, ଅଜୟ ଦେହୁରୀ, ପୁଷ୍ପଲତା ରାଉତ, ରଣଜିତ ରାଉତ, ହେମନ୍ତ ପାଳ, ସୁଜିତ ପାଳ ଏବଂ ଅନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ପୂର୍ବରୁ ସିଡିପିଓଙ୍କୁ ଏବାବଦରେ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କଠାରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ରଖିଛନ୍ତି ।