ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ଗ୍ରାମରେ ଉତ୍ତେଜନା

ହିଞ୍ଜିଳିକାଟୁ,୧୧ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପ୍ରାଥମିକ ବିଦ୍ୟାଳୟରେ ଜଣେ ନାବାଳିକା ଛାତ୍ରୀଙ୍କୁ ଗୁରୁବାର ପୂର୍ବାହ୍ନରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ପାଇଛି। ବହୁ ଅଭିଭାବକ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ଘେରାଉ କରିଛନ୍ତି।

ପ୍ରକାଶ ଯେ, ନାବାଳିକା ଛାତ୍ରୀମାନଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଜଣେ ସହକାରୀ ଶିକ୍ଷକ ପୂର୍ବରୁ ବିଭିନ୍ନ ସମୟରେ ନିର୍ଯାତନା ଓ ଅସଦାଚରଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଗୁରୁବାର ପୂର୍ବାହ୍ନରେ ଜଣେ ନାବାଳିକା ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ ପ୍ରଦର୍ଶନ କରୁଥିବା ବେଳେ ଗ୍ରାମର ଜଣେ ବ୍ୟକ୍ତି ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିବା ସହ ଆନ୍ଦୋଳନ କରିଥିଲେ। ଖବର ପାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶୀଳ କୁମାର ପାତ୍ର, ଦୁର୍ବନ୍ଧ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସ୍ନାରାଣୀ ପାତ୍ର ବିଦ୍ୟାଳୟରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ଜିଲା ପରିଷଦ ସଭ୍ୟ ଏ. ସୁଦର୍ଶନ, ସରପଞ୍ଚ ବିକାଶ ସେଠୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପହଞ୍ଚି ସ୍କୁଲରେ ଏକ ଆଲୋଚନା ବୈଠକ ହୋଇଥିଲା। ଗ୍ରାମବାସୀ ଓ ଅଭିଭାବକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ବିଦ୍ୟାଳୟରୁ ବହିଷ୍କାର ଦାବିରେ ଅଡ଼ି ବସିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା। ଘଟଣା ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍‌. ଗିରିଧରଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନ କିମ୍ବା ସ୍କୁଲ କମିଟି ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ପ୍ରଦାନ କରାଯାଇନାହିଁ।

Share