ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର ଅଫିସ,୪ା୩: ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଆଇସିୟୁ ନ ମିଳିବାରୁ ରୋଗୀ ଜଣଙ୍କ ଗୁରୁତର ହୋଇ ଶେଷରେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଜଣଙ୍କ ହେଲେ ଛତ୍ରପୁର ଥାନା ବିପୁଲିଙ୍ଗି ଗ୍ରାମର ଶଶିଭୂଷଣ ସାମନ୍ତରାୟ। ଚିକିତ୍ସାରେ ଅବହେଳା ସହିତ ଆଇସିୟୁ ପ୍ରଦାନରେ ବିଳମ୍ବ କରିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପୁଅ ପ୍ରତାପ ସାମନ୍ତରାୟ ଅଭିଯୋଗ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏମ୍‌କେସିଜି ମେଡିକାଲ ଅଧୀକ୍ଷକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ପ୍ରକାଶ ଯେ, ଛାତିରେ କଫ ଜମି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ପ୍ରତାପ ତାଙ୍କର ବାପା ଶଶିଭୂଷଣଙ୍କୁ ଗତ ୨୬ ତାରିଖରେ ଏମ୍‌କେସିଜି କାଜୁଆଲିଟିରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଟିବି ଓ ଚେଷ୍ଟ ୱାର୍ଡ଼କୁ ସ୍ଥାନାନ୍ତର କରିଥିଲେ। ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଆଇସିୟୁରେ ରଖିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏଥିପାଇଁ ପୁଅ ପ୍ରତାପ ବିଭାଗୀୟ ଡାକ୍ତର ଓ କର୍ମଚାରୀଙ୍କ ସହିତ କଥା ହୋଇଥିଲେ। ହେଲେ ତାଙ୍କୁ ଆଇସିୟୁ ମିଳି ନ ଥିଲା। ବାରମ୍ବାର କହିବା ପରେ ମଧ୍ୟ କେହି ତାଙ୍କର କଥା ଶୁଣି ନ ଥିଲେ। ଫଳରେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରତାପ ଅଭିଯୋଗ କରିଛନ୍ତି। ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁ ବାପାଙ୍କୁ ଆଇସିୟୁ ମିଳିପାରିଲା ନାହିଁ ବୋଲି ପ୍ରତାପ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ ମିଶ୍ର କହିଛନ୍ତି, ବର୍ତ୍ତମାନ ଏମ୍‌କେସିଜିରେ ବୟସ୍କ ଲୋକଙ୍କ ପାଇଁ ୨୪ଟି ଆଇସିୟୁ ରହିଛି। ସେଗୁଡ଼ିକରେ ଗୁରୁତର ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ଆହୁରି ୨୪ଟି ଆଇସିୟୁ ଶଯ୍ୟା ବୃଦ୍ଧି କରିବା ପାଇଁ ଯୋଜନା ଚାଲିଛି। ଚଳିତ ମାସ ଶେଷ ସୁଦ୍ଧା ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Share