Advertisement

ଏସ୍‌ସିବି ମେଡିକାଲ କଲେଜରେ ରାଗିଂ ଅଭିଯୋଗ

କଟକ,୫ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ରାଗିଂ ଘଟଣାର କିଛିଦିନ ପରେ କଟକ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରାଗିଂ ଅଭିଯୋଗ ଆସିଛି। ଏମ୍‌ବିବିଏସ୍‌ର ଜଣେ ପ୍ରଥମ ବର୍ଷ ଛାତ୍ରଙ୍କୁ ଶେଷବର୍ଷର ଛାତ୍ରମାନେ ରବିବାର ରାଗିଂ କରିଥିବା ନେଇ ମେଡିକାଲ କଲେଜ ଅଧ୍ୟକ୍ଷା ବା ଡିନ୍‌ ଆଣ୍ଡ ପ୍ରିନ୍ସିପାଲ ପ୍ରଫେସର ଡା. ଲୁସି ଦାସଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଅଭିଯୋଗକୁ ଆଧାର କରି ଏସ୍‌ସିବି ମେଡିକାଲ କଲେଜର ଆଣ୍ଟି ରାଗି୍‌ଂ କମିଟି ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଉଭୟ ପ୍ରଥମ ଓ ଶେଷ ବର୍ଷ ଛାତ୍ରଙ୍କୁ ଡାକି ପଚରାଉଚରା କରିଥିବା ଜଣାପଡିଛି। ତେବେ ଏଭଳି ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।

ମେଡିକାଲ କଲେଜ ଅଧ୍ୟକ୍ଷା ପ୍ରଫେସର ଦାସଙ୍କ କହିବା ଅନୁସାରେ, ରବିବାର ମେଡିକାଲର ଶେଷବର୍ଷର ଛାତ୍ରୀଛାତ୍ରମାନେ ପ୍ରଥମବର୍ଷର ଛାତ୍ରୀଛାତ୍ରଙ୍କୁ ନିଜ ନାମ, ଠିକଣା ବା ବିଧିବଦ୍ଧ ଭାବେ ପରିଚୟ ସମ୍ପର୍କରେ ପଚାରିଥିଲେ, ଯାହାକି ପୂର୍ବରୁ ଏକ ପରମ୍ପରା ରହିଆସିଛି। ମେଡିକାଲ କଲେଜର କୌଣସି ଛାତ୍ରୀଛାତ୍ର ରାଗିଂ ନେଇ ଲିଖିତ କିମ୍ବା ମୌଖିକ ଭାବେ ଅଭିଯୋଗ କରିଙ୍‌ନାହାନ୍ତି। ଏସ୍‌ସିବି ମେଡିକାଲ କଲେଜର ଆଣ୍ଟି ରାଗିଂ କମିଟି ରହିଛି। ପ୍ରତ୍ୟେକ ବର୍ଷ ନୂତନ ଛାତ୍ରୀଛାତ୍ର ଯୋଗଦେବା ପରେ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥାଏ। ସେହି ଅନୁସାରେ ସୋମବାର କମିଟିର ବୈଠକ ଥିଲା। ବୈଠକରେ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା। ଏଭଳି ରାଗିଂ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏକ ପ୍ରକାରର ଗୁଜବ, ଏଥିରେ କୌଣସି ସତ୍ୟତା ନାହିଁ। ଏସ୍‌ସିବି ମେଡିକାଲ କଲେଜକୁ ବଦନାମ କରିବାକୁ କେତେଜଣ କୁଚକ୍ରୀ ଏଭଳି ଗୁଜବ କରିବାକୁ ପ୍ରୟାସ କରିଥିବା ନେଇ ଦାସ କହିଛନ୍ତି।

ପ୍ରକାଶ ଯେ, ଏମ୍‌କେସିଜିର ୫ଜଣ ଚତୁର୍ଥ ବର୍ଷର ଛାତ୍ର କେତେଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗରେ ଗତ ୩୦ ତାରିଖରେ ହଷ୍ଟେଲରୁ ବହିଷ୍କୃତ ହୋଇଥିଲେ। ଅଭିଯୁକ୍ତ ଛାତ୍ରମାନଙ୍କୁ ମଧ୍ୟ ୬ମାସ ପାଇଁ କ୍ୟାମ୍ପସରୁ ବାହାର କରାଯାଇଛି। ଉକ୍ତ ଘଟଣା ସମ୍ପର୍କରେ ପୀଡ଼ିତ ଛାତ୍ରଙ୍କ ଅଭିଭାବକ ନ୍ୟାଶନାଲ ମେଡିକାଲ କାଉନ୍‌ସିଲ(ଏନ୍‌ଏମ୍‌ସି)ର ଆଣ୍ଟି ରାଗିଂ ସେଲ୍‌ରେ ମଧ୍ୟ ଅଭିଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share