ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ଚାନ୍ଦବାଲି,୨୬ା୫(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ପ୍ରେମ ନିବେଦନ କରିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ଉକ୍ତ ନର୍ସ ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି। ମହିଳା ନର୍ସ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଉକ୍ତ ଡାକ୍ତର ବହୁ ସମୟରେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଏକୁଟିଆ ପାଇଲେ ଟଣାଓଟରା କରିବା ଏବଂ ରାତିରେ ଫୋନ୍‌ରେ ପ୍ରେମ ନିବେଦନ କରନ୍ତି। ସେ ଏଥିରେ ରାଜି ନ ହେବାରୁ ତାଙ୍କୁ ଗାଳିଗୁଲଜ କରିବା ସହ କ୍ୱାର୍ଟର୍ସରେ ପଶି ବଳାତ୍କାର କରିବାକୁ ଧମକ ଦେଇଥିଲେ। ପୋଲିସ ଅଭିଯୋଗ ଅଧାରରେ ଏକ ମାମଲା (ନଂ.୧୬୭/୨୩) ରୁଜୁ କରିବା ସହ ନର୍ସଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଅପରପକ୍ଷେ ପୂର୍ବଶତ୍ରୁତା ପାଇଁ ନର୍ସ ଜଣକ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ଉକ୍ତ ଡାକ୍ତର କହିଛନ୍ତି।