ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଅଭିଯୋଗ: ଥାନାରେ ଏତଲା

ଦାରିଙ୍ଗବାଡି,୧୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାମୁଣୀଗାଁ ଥାନା ଝିଞ୍ଜିରୀଗୁଡ଼ା ପଞ୍ଚାୟତ ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଘଟିଥିବା ବାମୁଣୀଗାଁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ମୃତଦେହ ଜବତ କରି ଗୁରୁବାର ବ୍ୟବଚ୍ଛେଦ କରାଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଛାତ୍ରୀ ଜଣକ ସୋମବାର ଅସୁସ୍ଥ ହୋଇପଡ଼ିଥିଲେ। ହେଲେ ମଙ୍ଗଳବାର ବିଦ୍ୟାଳୟ କର୍ତ୍ତୃପକ୍ଷ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ପୁଣି ବୁଧବାର ସକାଳେ ଛାତ୍ରୀ ଜଣକ ଅସୁସ୍ଥ ହେବାରୁ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପୋଲିସ କହିଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଝିଅର ମୃତ୍ୟୁ ହୋଇଥିବା ମୃତଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଏପରିକି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଘଟଣାର ତଦନ୍ତ କରିବା ପାଇଁ ଜିଲା ମଙ୍ଗଳ ଅଧିକାରୀ ସୀମାଞ୍ଚଳ ବେହେରା, ବାଲିଗୁଡା ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଜଗତଜୀବନ ବଗର୍ତ୍ତୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁ ମାଝୀ ପଡ୍ରା ପ୍ରମୁଖ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏପରକି ପରିବାର ଲୋକଙ୍କୁ ଭେଟି ଜିଲା ରେଡ଼କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ରାଶି ଦିଆଯାଇଥିବା ବେଳେ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଯୋଗାଇ ଦିଆଯାଇଛି। ଏନେଇ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ତଦନ୍ତ ରିପୋର୍ଟ କନ୍ଧମାଳ ଜିଲାପାଳଙ୍କୁ ଦିଆଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି।

Share