Categories: ଜାତୀୟ

ଅଭିଯୋଗ ଗମ୍ଭୀର: ପ୍ରମାଣିତ ହେଲେ ସନ୍ଦୀପ୍‌ ଘୋଷଙ୍କୁ ମିଳିପାରେ ଏହି ଦଣ୍ଡ, କହିଲେ ସିବିଆଇ କୋର୍ଟ

କୋଲକାତା,୨୭ା୯: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷ ଏବଂ ତଲା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିଜିତ ମଣ୍ଡଳଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ତାହା ପ୍ରମାଣିତ ହେଲେ ଉଭୟଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିପାରେ ବୋଲି ସିବିଆଇ କୋର୍ଟ ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି ବେଳେ କହିଛନ୍ତି।

ମାଜିଷ୍ଟ୍ରେଟ ଶିବାଶିଷ ଦେ’ ଲିଖିତ ନିର୍ଦ୍ଦେଶନାମାରେ କହିଛନ୍ତି, ସିବିଆଇ ପୂରା ଦମ୍‌ରେ ଉକ୍ତ ମାମଲାର ତଦନ୍ତ ଚଳାଇଛି ଏବଂ ଉଭୟ ସନ୍ଦୀପ୍‌ ଓ ମଣ୍ଡଳଙ୍କୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ହାଜତରେ ରଖାଯାଇଛି। କେବଳ ବିରଳରୁ ବିରଳତମ ମାମଲାରେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥାଏ। ଏଭଳି ମାମଲାରେ ଜାମିନ ପ୍ରଦାନ କରିବା ସମାନତା ସିଦ୍ଧାନ୍ତର ଉଲ୍ଲଂଘନ ହେବ ବୋଲି ମାଜିଷ୍ଟ୍ରେଟ୍‌ କହିଛନ୍ତି।

ଜଣେ ବ୍ୟକ୍ତି ଅପରାଧ ସ୍ଥଳରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ନ ଥାଇ ମଧ୍ୟ ଅପରାଧ କରିପାରିବେ ବୋଲି ମାଜିଷ୍ଟ୍ରେଟ ଟିପ୍ପଣୀ ଦେଇଛନ୍ତି। ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଥିବା ସିବିଆଇ ଯୁକ୍ତି ଦର୍ଶାଇଥିଲା। ଅପରାଧର ପ୍ରମାଣ ନଷ୍ଟ କରିବାକୁ ବଡ଼ ଧରଣର ତଦନ୍ତ ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପ୍ରକ୍ରିୟାରେ ମଧ୍ୟ ଅନେକ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ବ୍ୟବଚ୍ଛେଦ କରିଥିବା ୩ ଜଣିଆ ଡାକ୍ତରୀ ଟିମ୍‌ର ମୁଖ୍ୟ ଅପୂର୍ବ ବିଶ୍ୱାସଙ୍କୁ ସିବିଆଇ ଇତିମଧ୍ୟରେ ୪ ଥର ଜେରା କଲାଣି।

 

Share