Categories: Uncategorized

ଭୁଲ୍‌ ଇଞ୍ଜେକ୍‌ଶନରୁ ଶିଶୁମୃତ୍ୟୁ ଅଭିଯୋଗ

ବରୀ,୨୫ା୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ଭୁଲ ଇଞ୍ଜେକ୍‌ଶନ ଦେବାରୁ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବରୀ ବ୍ଲକ୍‌ ଅଧୀନ ଅଲିପୁର ଗ୍ରାମର ବିରଞ୍ଚତ୍ ଗେଡ଼ିଙ୍କ ଝିଅ ଅର୍ପିତା ଗେଡ଼ି(୪)। ଜ୍ୱର ହେବାରୁ ତାଙ୍କୁ ପରିବାର ଲୋକେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଔଷଧ ଓ ଇଞ୍ଜେକଶନ ଲେଖିଥିଲେ। ଡାକ୍ତରଙ୍କ ଚିଠା ମୁତାବକ ସ୍ବାସ୍ଥ୍ୟକର୍ମୀ ଇଞ୍ଜେକ୍‌ଶନ ଦେଇଥିଲେ। ମାତ୍ର ଏହାର କିଛି ସମୟ ପରେ ଶିଶୁଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏକଥା ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ ହୋହଲ୍ଲା କରିବା ସହ ଏଠାରେ ସ୍ଥାୟୀ ଡାକ୍ତର ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଥିଲେ। ଏଥିସହିତ ମେଡିକାଲ ପରିସରରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ଖବରପାଇ ବରୀ-ରାମଚନ୍ଦ୍ରପୁର ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶିବାଶିଷ ମହାରଣା, ଉପଜିଲାପାଳ ଗୋପୀନାଥ କୁଅଁର ଓ ବରୀ ତହସିଲଦାର ତିଳୋତ୍ତମା ପୃଷ୍ଟି ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ପୋଲିସ ଶିଶୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସୋମବାର ମୃତକଙ୍କ ପରିବାରକୁ ଜିଲା ରେଡ୍‌କ୍ରସ ପାଣ୍ଠିରୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଅଧିକାରୀମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତର ଜନସାଧାରଣ ନିର୍ଭର କରୁଛନ୍ତି। ହେଲେ ଏଠାରେ ସ୍ଥାୟୀ ଡାକ୍ତର ନ ଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ବହୁ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଏଠାରେ ଡାକ୍ତର ନିଯୁକ୍ତି ନ ହେଲେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମହାରଣା କହିଛନ୍ତି, ଶିଶୁଙ୍କର କିପରି ମୃତ୍ୟୁ ହେଲା ତା’ର ତଦନ୍ତ କରାଯିବ। ଏଥିସହିତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ପଦବୀ ଖୁବ୍‌ଶୀଘ୍ର ପୂରଣ କରାଯିବ। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଶିଶୁଙ୍କୁ ଚିକିତ୍ସା କରିଥିବା ଡାକ୍ତର ଶଶିକାନ୍ତ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।