୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁର୍ନୀତି ଅଭିଯୋଗ

ବାହାନଗା, ୩।୬(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଉଚ୍ଚ ବିଦ୍ୟାଳୟରେ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁର୍ନୀତି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୫ଟି ଅଧୀନରେ ଯେଉଁ ବିଦ୍ୟାଳୟଗୁଡିକ ସାମିଲ ହେଉଛି ସେହି ବିଦ୍ୟାଳୟଗୁଡିକର ରୂପରେଖ ବଦଳିଯାଉଛି। ସମସ୍ତ କାର୍ଯ୍ୟକ୍ରମ ବିଡିଓ, ଜିଲାପାଳଙ୍କ ତତ୍ତ୍ୱାବଧାନରେ କରାଯାଉଛି। ବିଡିଓ ନିଜେ ୫ଟି ଅଧୀନରେ ଆସୁଥିବା ବିଦ୍ୟାଳୟଗୁଡିକର କାର୍ଯ୍ୟ ବୁଝାବୁଝି କରିଥାନ୍ତି। ମାତ୍ର ଖରାସାହାପୁର ଉଚ୍ଚ ବିଦ୍ୟାଳୟରେ ଏସବୁରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।
ଖରାସାହାପୁର ଉଚ୍ଚ ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯିବା ପରେ ବିଦ୍ୟାଳୟକୁ ସରକାରଙ୍କ ପକ୍ଷରୁ ରୂପାନ୍ତରଣ ନିମନ୍ତେ ୪୫ଲକ୍ଷ ଟଙ୍କା ଆସିଥିଲା। ସେହି ଟଙ୍କାରେ ବିଦ୍ୟାଳୟର କାମ ହେବା ପୂର୍ବରୁ ଜିଲାପାଳ ତା୧୬ା୧୨ା୨୧ରିଖରେ ଚିଠି ନମ୍ବର ୧୬୨୦୪ରେ ବିଡିଓଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେବା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଚିଠି କରିଥିଲେ। ସେହି ଚିଠି ଅନ଼ୁଯାୟୀ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ବିଡିଓଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦେଇଥିଲେ। ଖରାସାହାପୁର ବିଦ୍ୟାଳୟ ପକ୍କା ଘର ବାହାର କାନ୍ଥରେ କଣା ଥିଲେ ମଧ୍ୟ ତାହାକୁ ବୁଜା ନ ଯାଇ ରଙ୍ଗ ମରାଯାଇଛି ା କାନ୍ଥରେ ବରଗଛ ଉଠିଥିଲେ ମଧ୍ୟ ତାହାକୁ କଟାଯାଇନାହିଁ। ପୁରୁଣା ଡେକ୍ସ ଓ ବେଞ୍ଚକୁ ମରାମତି କରାଯାଇ କାମ ସାରି ଦିଆଯାଇଛି। ୫ଟି ଟଙ୍କାରେ ଯେଉଁ ସାମଗ୍ରୀ ବିଦ୍ୟାଳୟକୁ ଆସିବ ତାର ମାନ ତଦାରଖ କରିବା ପାଇଁ ଏକ ପରଚେଜ୍‌ କମିଟି ରହିଥାଏ। ସେହି କମିଟି ଦ୍ୱାରା କିଣାଯାଉଥିବା ସାମଗ୍ରୀର ତଦାରଖ କରିବାର ନିୟମ ଥିଲେ ମଧ୍ୟ ଖରାସାହାପୁର ବିଦ୍ୟାଳୟରେ ସେପରି କରାଯାଇନାହିଁ। ଏହି ବିଦ୍ୟାଳୟରେ ଲାଇବ୍ରେରୀ ଲାଗି ଘରଟିଏ ନାହିଁ। ମନଇଛା କାର୍ଯ୍ୟ କରାଯିବା ଉପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ଗୌରାଙ୍ଗ ଘୋଷ କହିଛନ୍ତି, ଲୋକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା ମିଥ୍ୟା। ସମସ୍ତଙ୍କୁ ନେଇ କାମ କରାଯାଉଛି। ବିଦ୍ୟାଳୟ କାନ୍ଥରେ ଉଠିଥିବା ବରଗଛକୁ ଲୋକମାନେ କାଟିବାକୁ ଦେଲେ ନାହିଁ। ଅଳ୍ପ ଟଙ୍କାରେ ପୁରୁଣା ସାମଗ୍ରୀକୁ ମରାମତି କରାଯାଇଛି। ଏଥିରେ କୌଣସି ଦୁର୍ନୀତି ହୋଇନାହିଁ। ଖରାସାହାପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ କହିଛନ୍ତି ଆମେ କିଛି ଦାୟତ୍ୱ ନେଇନାହୁଁ ା ବିଡିଓଙ୍କ ଆକାଉଣ୍ଟକୁ ଜିଲାପାଳଙ୍କ ଚିଠି ଅନୁଯାୟୀ ଆସିଥିବା ଟଙ୍କା ଟ୍ରାନ୍ସଫର କରିଦେବା ପରେ ନିଜେ ବିଡିଓଙ୍କ ତତ୍ତ୍ୱାବଧାନରେ କାମ ହେଉଛି ା ସେ ବିଷୟରେ କିଛି କହିପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ଗ୍ରାମବାସୀ ପ୍ରଦୀପ ଜେନା କହିଛନ୍ତି, ବିଦ୍ୟାଳୟ ବାହାରେ ଥିବା ବରଗଛର ଡାଳ କାନ୍ଥକୁ ଲାଗିଥିବାରୁ ବାହାର ଗଛକୁ କାଟିବା ପଇଁ ବିଡିଓ କହୁଥିଲେ। ତାହାକୁ କାଟିବାକୁ ଲୋକେ ବାରଣ କରିଥିଲେ। ମାତ୍ର କାନ୍ଥରେ ଉଠିଥିବା ବରଗଛକୁ କାଟିବା ପାଇଁ ମନା କରିନାହାନ୍ତି ା ସେହିପରି ତାଳକୁରୁଣିଆଁ ବିଦ୍ୟାଳୟରେ ମଧ୍ୟ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।